ବ୍ରହ୍ମପୁର: ରାଜ୍ୟରେ ଦ୍ବିତୀୟ ଥର ପାଇଁ ଆୟୋଜିତ ହେଉଛି ହକି ବିଶ୍ବକପ । ଏହାକୁ ନେଇ ଏବେ ସାରା ରାଜ୍ୟରେ ହକି ଫିଭର । ଏଭଳି ସମୟରେ ଯୁବବର୍ଗଙ୍କ ମଧ୍ୟରେ ମଧ୍ୟ ଦେଖିବାକୁ ମିଳୁଛି ବେଶ ଉତ୍ସାହ । ହକି ବିଶ୍ବକପ ପାଇଁ ଚକ୍ ଆର୍ଟ ସହିତ ପେନସିଲ୍ କାରଭିଙ୍ଗ୍ ଆର୍ଟ ପ୍ରସ୍ତୁତ କରି ଚର୍ଚ୍ଚାରେ ବ୍ରହ୍ମପୁରର ଇଞ୍ଜିନିୟରିଙ୍ଗ୍ ଛାତ୍ର । ସହର ଉପକଣ୍ଠ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଚତୁର୍ଥ ବର୍ଷର ଇଞ୍ଜିନିୟରିଙ୍ଗ୍ ଛାତ୍ର କେ.ବିଜୟ ରେଡି ନିଜର କଳାକୃତି ମାଧ୍ୟମରେ ହକି ବିଶ୍ବକପ ଉପଲକ୍ଷେ ପ୍ରସ୍ତୁତ କରିଛନ୍ତି ଚକ୍ ଆର୍ଟ ସହିତ ପେନସିଲ୍ କାରବିଙ୍ଗ୍ ଆର୍ଟ ।
ବିଜୟ ଚକ ଆର୍ଟ ମାଧ୍ୟମରେ ୨ ସେମି ଉଚ୍ଚତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ମାସ୍କେଡ ଅଲି ପ୍ରତିକୃତି ପ୍ରସ୍ତୁତ କରିଥିବାବେଳେ ୧ ସେମିରେ ପ୍ରସ୍ତୁତ କରିଛନ୍ତି ହକି ବିଶ୍ବକପ ଟ୍ରଫି । ସେହିପରି ପେନସିଲ୍ ମୁନରେ ୩୦ ସେଣ୍ଟିମିଟର କାରବିଙ୍ଗ୍ ଆର୍ଟ କରି ହକି ବିଶ୍ବକପ୍ ଲୋଗୋକୁ ସମ୍ପୂର୍ଣ୍ଣ ଭାବରେ ସେଥିରେ ପ୍ରସ୍ତୁତ କରିଛନ୍ତି । ଚକ୍ ଆର୍ଟ ପାଇଁ ବିଜୟଙ୍କୁ ୩ ଦିନ ସମୟ ଲାଗିଥିବାବେଳେ ପେନସିଲ୍ ମୁନରେ କାରଭିଙ୍ଗ୍ କରିବାକୁ ୫ ଦିନ ସମୟ ଲାଗିଥିବା ସେ କହିଛନ୍ତି । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ପ୍ରତିକୃତି ପ୍ରଦାନ କରିବାକୁ ଆଶା ରଖିଛନ୍ତି ।