ବ୍ରହ୍ମପୁର: ସହର ଉପକଣ୍ଠ ସୁକୁଣ୍ଡା ଅଞ୍ଚଳର ପାହାଡଘେରା ମଧ୍ୟରେ ଅବସ୍ଥିତ ଐତିହ୍ୟପୂର୍ଣ୍ଣ ପୁରାତନ ଅଘୋରୀ ମଠ । ଏହି ସ୍ଥାନରେ କାହିଁ କେଉଁ କାଳରୁ ପୂଜା ପାଇଆସୁଛନ୍ତି ଶ୍ରୀଜିଉ । ପ୍ରାୟ ତିନି ଶହ ବର୍ଷର ପୁରାତନ ଏହି ମଠକୁ ମହୁରୀ ରାଜା ନିର୍ମାଣ କରିଥିବା ଜଣାପଡେ । ସେହି ସମୟରେ ବିଭିନ୍ନ ସ୍ଥାନରୁ ବହୁ ମୁନିଋଷି ଆସି ଏଠାରେ ଧ୍ୟାନତପ ସହିତ ଏଠାରେ ପୂଜା କରୁଥିଲେ । ହେଲେ ବର୍ତ୍ତମାନ ଏହି ସ୍ଥାନ ଏକ ପ୍ରକାର ପରିତ୍ୟକ୍ତ ଅବସ୍ଥାରେ । କେବଳ ଦିନରେ ଥରେ ପୂଜା ପାଇ ରାତିରେ ଉପବାସରେ ରହୁଛନ୍ତି ମହାପ୍ରଭୁ ।
ବ୍ରହ୍ମପୁର ଉପକଣ୍ଠ ସୁକୁଣ୍ଡା ଅଞ୍ଚଳର ପାହଡ ଘେରା ମଧ୍ୟରେ କାହିଁ କେଉଁ କାଳରୁ ପୂଜା ପାଇ ଆସୁଛନ୍ତି ତିନି ଠାକୁର । କୁହାଯାଏ ମହୁରି ରାଜା ଏହି ସ୍ଥାନରେ ଶ୍ରୀଜିଉଙ୍କୁ ସ୍ଥାପନ କରିବା ପରେ ସେହି ଦିନରୁ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ଯାହାକି ପୁରାତନ ଅଘୋରୀ ମଠ ଭାବରେ ପରିଚିତ । ରାଜ୍ୟର ପୁରୀ ପରେ ବ୍ରହ୍ମପୁର ସହର ଉପକଣ୍ଠରେ ରହିଥିବା ସୁକୁଣ୍ଡା ଅଞ୍ଚଳର ଏହି ଅଘୋରୀ ମଠ ଏବେ ପରିତ୍ୟକ୍ତ ଅବସ୍ଥାରେ । ମଠ ସଂପୂର୍ଣ୍ଣ ରୂପେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ବେଳେ ସେଠାରେ ପୂଜା ପାଉଥିବା ଶ୍ରୀଜିଉ ଅବହେଳିତ ଅବସ୍ଥାରେ ରହିଛନ୍ତି । ମଠର ଆଜବେଷ୍ଟସ ଆଁ କରି ରହିଥିବାରୁ ଦିନରେ ସୂର୍ଯ୍ୟକିରଣ ସାଙ୍ଗକୁ ରାତିର ଜହ୍ନ ଆଲୋକ ଏବଂ ବର୍ଷା ହେଲେ ପାଣି ଆସି ମହାପ୍ରଭୁଙ୍କ ଉପରେ ପଡୁଛି । ତିନି ଠାକୁରଙ୍କ ସେବାରେ ରହିଥିବା ଜଣେ ସେବାୟତ ଦିନରେ ଗୋଟିଏ ବେଳା ଯେନତେନ ପ୍ରକାରେ ପୂଜା କରି ଅନ୍ନ ଭୋଗ କରୁଛନ୍ତି । ରାତି ସମୟରେ ଏହି ଘଞ୍ଚ ଜଙ୍ଗଲକୁ ଆସିବାକୁ ଭୟ କରିଥିବାରୁ ମହାପ୍ରଭୁ ଉପବାସରେ ରହୁଛନ୍ତି । ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ଏହି ସ୍ଥାନରେ ତିନି ଠାକୁରଙ୍କ ସହିତ ମା’ ଚଣ୍ଡୀଙ୍କୁ ମଧ୍ୟ ଏଠାରେ ପୂଜା କରାଯାଉଛି ।
ଏହା ମଧ୍ୟ ପଢ଼ନ୍ତୁ:Temple at Uttarkashi: ପାହାଡ ଶୀଖରରେ ଗୁପ୍ତ ଶ୍ରୀକ୍ଷେତ୍ର, ନୀଳଚକ୍ର ଉପରେ ଭାସି ବୁଲୁଛନ୍ତି ମେଘମାଳର ସମ୍ଭାର