ବ୍ରହ୍ମପୁର:ସଦର ମହକୁମା ଛତ୍ରପୁରର ବ୍ୟାରେକ ସାହିକୁ କଣ୍ଟେନମେଣ୍ଟ ଜୋନ ସହିତ ନିକଟସ୍ଥ ଚାରି ସାହିକୁ ବଫର ଜୋନ ଘୋଷଣା । ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ସଦର ମହକୁମା ଛତ୍ରପୁର ସହରର ବ୍ୟାରେକ ସାହିରେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ଉକ୍ତ ସାହିକୁ କଣ୍ଟେନମେଣ୍ଟ ଜୋନ ସହିତ ନିକଟସ୍ଥ ଚାରି ସାହିକୁ ବଫର ଜୋନ ଭାବରେ ଘୋଷଣା କରାଯାଇଛି ।
ଛତ୍ରପୁର ଏନ.ଏ.ସିର ୧୧ ନମ୍ବର ୱାର୍ଡର ବ୍ୟାରେକ ସାହିରୁ ଗୋଟିଏ ପରିବାରର 2ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଏହାକୁ ଗୋଷ୍ଠୀ ସଂକ୍ରମଣ ରୋକିବା ସହ ସ୍ବାସ୍ଥ୍ୟଗତ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ସେହିପରି ଏହି ସାହି ନିକଟରେ ରହିଥିବା ଏନ.ଏ.ସିର ରିକାପଲ୍ଲୀ ଛକ, ଶଙ୍କରମଠ ସାହି, ରାମକୃଷ୍ଣ ନଗର ଓ ବିଦ୍ୟାଧର ନଗରକୁ ବଫର ଜୋନ ଭାବରେ ଘୋଷଣା କରାଯାଇଛି । ପ୍ରଶାସନ ପକ୍ଷରୁ ଏହି ସମସ୍ତ ଅଞ୍ଚଳ ପ୍ରତି ସତର୍କ ଦୃଷ୍ଟି ରଖାଯାଇଛି । ଏପରିକି ବ୍ୟାରେକ ସାହିକୁ ସଂଲଗ୍ନ ସମସ୍ତ ରାସ୍ତାକୁ ସିଲ କରାଯାଇ ଯାତାୟାତ ଓ ଦୋକାନ ବଜାର ଖୋଲିବା ନେଇ କଟକଣା ଜାରି କରାଯାଇଛି ।