ଭଞ୍ଜନଗର:କଚାଘରେ କେହି ରହିବେ ନାହିଁ, ତେଣୁ ସମସ୍ତ ଅସହାୟ ଗରିବ ଲୋକଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାର ଆବାସ ଯୋଜନାରେ ଘର ଯୋଗାଇଆସୁଛନ୍ତି । ହେଲେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଗେରେଡା ପଞ୍ଚାୟତର ଗେରେଡା ଗ୍ରାମରେ । ଏହି ଗ୍ରାମରେ ବସବାସ କରନ୍ତି ହାଡ଼ିଆ ନାଇକ ପରିବାର । ପରିବାର କହିଲେ ବାପ ଝିଅକୁ ନେଇ ତାଙ୍କର ଛୋଟିଏ ସଂସାର ।
ଦୀର୍ଘ ଦିନ ହେଲା ସ୍ତ୍ରୀ ଚାଲିଗଲାଣି ଆରପାରିକୁ । ହାଡ଼ିଆକୁ ବୟସ 75 ଛୁଇଁଲାଣି, ଆଖିକୁ ଭଲଭାବେ ଦେଖାଯାଉନି । ପାଖରେ ଅବିବାହିତ ଝିଅ ରହିଛି ତାକୁ ବି ଭଲଭାବରେ ଦେଖାଯାଉନି, ତଥାପି ବାପ ଝିଅ ମିଶି କାଠ କାମ କରି ଦିନ କାଟୁଛନ୍ତି । ବାପ ଝିଅଙ୍କୁ ସରକାରଙ୍କ ପକ୍ଷରୁ ଭତ୍ତା ଓ ଚାଉଳ ମିଳୁଛି । ହେଲେ, ମୁଣ୍ଡ ଗୁଞ୍ଜିବାକୁ ପକ୍କାଘର ଖଣ୍ଡେ ନାହିଁ । ଝାଟି ମାଟିର ଘରେ ଦିନ କଟୁଛି ହାଡ଼ିଆ । ଯେଉଁ ଘରେ ରହୁଛନ୍ତି ସେଠାରେ ଦିନ କିମ୍ବା ରାତି କିଛି ଫରକ ପଡ଼େ ନାହିଁ । ଯେହେତୁ ଦିନରେ ସୂର୍ଯ୍ୟ ଆଲୋକ ପଡେ ରାତିରେ ଚନ୍ଦ୍ର ଆଲୁଅ ପଡେ ।