ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ଏକ ପ୍ରତିଷ୍ଠିତ ଗହଣା ସୋ' ରୁମରୁ ୩୩ ଲକ୍ଷ ଟଙ୍କା ହଡ଼ପ କରିବା ଅଭିଯୋଗରେ ସେହି ଦୋକାନର ଆସିଷ୍ଟାଣ୍ଟ ମ୍ୟାନଜର ଗିରଫ ହୋଇଛନ୍ତି । ଅଭିଯୁକ୍ତ ପ୍ରାୟ ୩୩ ଲକ୍ଷ ୩୮ ହଜାର ଟଙ୍କାର ସୁନା ଅଳଙ୍କାର ଉଠାଇ ନେବା ପରେ ତାକୁ ବନ୍ଧକ ରଖି ସେହି ଟଙ୍କାରେ ଅନଲାଇନ୍ ଗେମ୍ ଖେଳିଥିଲେ । ଏନେଇ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଆସିଷ୍ଟାଣ୍ଟ ମ୍ୟାନେଜର ହେଲେ ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ବ୍ରଜନଗର ତୃତୀୟ ଲାଇନର ସୀମୀଞ୍ଚଳ ପାତ୍ର ଓରଫ ଲିପୁ ।
ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ କାର୍ଯ୍ୟରତ ଥିବା ଗହଣା ସୋ' ରୁମ୍ରୁ ସପ୍ତାହକ ମଧ୍ୟରେ ଭିନ୍ନ ଭିନ୍ନ ସମୟରେ ମୋଟ ୫୨୩. ୨୩ ଗ୍ରାମ ଓଜନର ଗହଣା ବିଭିନ୍ନ ଗ୍ରାହକଙ୍କ ଘରେ ଦେଖାଇବା ବାହାନାରେ ପ୍ରତିଶ୍ରୁତି ଦେଇ ନେଇଥିଲେ । ଏହି ଗହଣା ମଧ୍ୟରେ ୨୨୦.୪୩୦ ଗ୍ରାମର ତିନୋଟି ସୁନା ବ୍ରେସଲେଟ୍ , ୨୮୪.୪୦୦ ଗ୍ରାମ୍ ଓଜନର ତିନୋଟି ଚେନ୍ ଏବଂ ୧୮.୪୦୦ ଗ୍ରାମର ଗୋଟିଏ ମଙ୍ଗଳସୂତ୍ର ପଦକ ଥିଲା । ସୀମୀଞ୍ଚଳ ଏହି ଗହଣାକୁ ଏକ ଘରୋଇ ଫାଇନାସ୍ କମ୍ପାନୀ ନିକଟରେ ବନ୍ଧା ରଖି ୧୯ ଲକ୍ଷ ୭୦ ହଜାର ଟଙ୍କାର ଋଣ ନେଇଥିଲେ । ପରେ ଏହି ଟଙ୍କାରେ ସେ ଅନଲାଇନ୍ ଗେମ୍ ଖେଳିଥିଲେ ।