ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଆସିକା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଗୋଟିଏ ଅନ୍ତଃରାଜ୍ୟ ସିନ୍ଧି ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଆସିକା ପୋଲିସ । ସେମାନଙ୍କ ନିକଟରୁ 400 ଗ୍ରାମରୁ ଉର୍ଦ୍ଧ୍ବ ପରିମାଣର ସୁନାରୁପା ଅଳଙ୍କା ଜବତ ହୋଇଛି । ଏଥିସହିତ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଅଞ୍ଚଳର 3 ଜଣ ଅଭିଯୁକ୍ତ ଓ ଜଣେ ସୁନା ବ୍ୟବସାୟୀଙ୍କ ସମେତ ଆସିକା ବାବନପୁର ଅଞ୍ଚଳର ଜଣେ ଯୁବକକୁ ଗିରଫ କିରିଛି ପୋଲିସ ।
ଅଭିଯୁକ୍ତ ମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଘରଭଡା ନେଇ ଚୋରି ଯୋଜନା କରୁଥିଲେ । ରାତିଅଧିଆ ଟଙ୍କା, ସୁନା ଲୁଟ କରି ଲୁଟ ସାମଗ୍ରୀକୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନାଚୁଣୀର ସୁନା ଦୋକାନୀ ଶିବ ପ୍ରସାଦ ନାୟକଙ୍କୁ ବିକ୍ରି କରୁଥିଲେ । ଏମାନେ ବହୁଦିନ ଧରି ବିଭିନ୍ନ ଅଞ୍ଚଳରେ ଏହିଭଳି ଚୋରି ଘଟଣା ଘଟାଉଥିବା ବେଳେ ପୋଲିସ ପଞ୍ଝାରୁ ଖସିବାରେ ସଫଳ ହେଉଥିଲେ । ଗତ 14 ତାରିଖ ଦିନ ଆସିକା ରାଜେନ୍ଦ୍ର ନଗର ଜଣେ ବ୍ୟକ୍ତିଙ୍କ ଘରୁ ସୁନା ଅଳଙ୍କାର ସହିତ ନଗଦ ଟଙ୍କା ଚୋରି ହୋଇଥିବା ଆସିକା ଥାନାରେ ଅଭିଯୋଗ ହୋଇଥିଲା ।