ବ୍ରହ୍ମପୁର: ବହୁମୁଖୀ ପୁରୁଷ ଓ ମହିଳା ସ୍ବାସ୍ଥ୍ୟ କର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ମଳିତ ମହାସଂଘର ସାମ୍ବାଦିକ ସମ୍ମିଳନୀ । କ୍ୟାଡ଼ର ପୁନର୍ଗଠନ ନେଇ ରାଜ୍ୟ ସରାକାରଙ୍କ ନିକଟରେ ଦାବି କଲା ମହାସଂଘ । ଯଦି ଦାବି ପୂରଣ ନହୁଏ ତେବେ ଆଗକୁ ରାସ୍ତାକୁ ଓହ୍ଳାଇ ଆନ୍ଦୋଳନ କରିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ପ୍ରତି ସରକାରୀ କର୍ମଚାରୀ ଚାକିରି କାଳରେ 4 ରୁ 5 ଗୋଟି ପଦୋନ୍ନତି ପାଉଥିବା ବେଳେ, ବହୁମୁଖୀ ପୁରୁଷ ଓ ମହିଳା ସ୍ବାସ୍ଥ୍ୟକର୍ମୀମାନେ କେବଳ ମାତ୍ର ଥରେ ପଦୋନ୍ନତି ପାଉଛନ୍ତି । ଏପରିକି କିଛି ସ୍ବାସ୍ଥ୍ୟକର୍ମୀ ବିନା ପଦୋନ୍ନତିରେ ଚାକିରିରୁ ଅବସର ନେଉଛନ୍ତି । ତେଣୁ କ୍ୟାଡ଼ର ପୁନର୍ଗଠନ ପାଇଁ ସ୍ୱାସ୍ଥ୍ୟକର୍ମୀ ମାନେ ଦାବି କରି ପୂର୍ବରୁ କୋରୋନା ସମୟରେ ଟୀକାକରଣ କରିନଥିଲେ । ପରେ ସରକାରଙ୍କ ହସ୍ତକ୍ଷେପ ପରେ ଜନସ୍ବାସ୍ଥ୍ୟ ନିର୍ଦେଶକ ଓ ପରିବାର କଲ୍ୟାଣ ନିର୍ଦେଶକଙ୍କ ସହ କ୍ୟାଡର ପୁନର୍ଗଠନ ନେଇ ସକାରାତ୍ମକ ଆଲୋଚନା ପରେ ସ୍ବାସ୍ଥ୍ୟକର୍ମୀ ଟୀକାଗ୍ରହଣ କରିଥିଲେ ।
ଇତି ମଧ୍ୟରେ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ କ୍ୟାଡ଼ର ପୁନର୍ଗଠନ ବିଜ୍ଞପ୍ତି ପ୍ରକାଶ ପାଇ ପାରିଲାନାହିଁ । ଯାହାକୁ ନେଇ ମହାସଂଘ ପ୍ରେସମିଟ ଜରିଆରେ ଆସନ୍ତା ଏକ ସପ୍ତାହ ମଧ୍ୟରେ କ୍ୟାଡ଼ର୍ ପୁନର୍ଗଠନ ନେଇ ଚେତାବନୀ ଦେଇଛି । ଯଦି ସରକାର ଏଦିଗରେ ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆସନ୍ତା ୧୧ ତାରିଖ ଠାରୁ ପୁରୁଷ ଓ ମହିଳା ସ୍ବାସ୍ଥ୍ୟକର୍ମୀ ଓ ସ୍ବାସ୍ଥ୍ୟ ପରିଦର୍ଶକ ମାନେ ସମସ୍ତ ଅନଲାଇନ୍ କାର୍ଯ୍ୟକ୍ରମରୁ ନିବୃତ୍ତ ରହିବେ ବୋଲି ଚେତାଇ ଦେଇଛନ୍ତି । ସାଧାରଣ ଜନତାଙ୍କୁ ସମସ୍ତ ସ୍ବାସ୍ଥ୍ୟ ସେବା ଯୋଗାଇବେ କିନ୍ତୁ ଅନଲାଇନ୍ ଡାଟା ଏଣ୍ଟ୍ରି ବନ୍ଦ କରିବେ ବୋଲି କହିଛନ୍ତି ।