ଓଡିଶା

odisha

ETV Bharat / state

ସେବା ସମବାୟ ସମିତିରୁ ମିଳିନୁ ଜମା ଅର୍ଥ, ଚିନ୍ତାରେ ଜମାକାରୀ - ଲୋଚାପଡା ସେବା ସମବାୟ ସମିତି ନାଁରେ ଅଭିଯୋଗ

ବ୍ରହ୍ମପୁର ସହର ଉପକଣ୍ଠ ଲୋଚାପଡା ସେବା ସମବାୟ ସମିତିରେ ନାଁରେ ସାଙ୍ଘାତିକ ଅଭିଯୋଗ । ଜମାକାରୀଙ୍କୁ ଜମା ଅର୍ଥ ଫେରାଉନଥିବା ଅଭିଯୋଗ ହୋଇଛି । ଜମାକାରୀଙ୍କ ଖାତାରେ କେତେ ଅର୍ଥ ରହିଛି ଏବଂ କେତେ ଅର୍ଥ ଉଠାଯାଇଛି ସେ ସମ୍ପର୍କରେ ମଧ୍ୟ କାହାରି ପାଖରେ ଉତ୍ତର ନାହିଁ । ଜଣେ ଜମାକାରୀଙ୍କ ଖାତାରେ ୨୨ ହଜାର ଟଙ୍କା ଥିବା ବେଳେ ଉଠିଛି ୧ ଲକ୍ଷ ଟଙ୍କା । ଦେଖନ୍ତୁ ଏହି ରିପୋର୍ଟ

Luchapada cooperative society bank
Luchapada cooperative society bank

By

Published : Jan 7, 2023, 9:28 PM IST

ସେବା ସମବାୟ ସମିତିରୁ ମିଳିନୁ ଜମା ଅର୍ଥ, ଚିନ୍ତାରେ ଜମାକାରୀ

ବ୍ରହ୍ମପୁର:ସେବା ସମବାୟ ସମିତିରୁ ମିଳିନୁ ଜମା ଅର୍ଥ । ଚିନ୍ତାରେ ଅନେକ ଗରୀବ ଅସହାୟ ପରିବାରର ଜମାକାରୀ । ବ୍ରହ୍ମପୁର ସହର ଉପକଣ୍ଠରେ ରହିଥିବା ଲୋଚାପଡା ସେବା ସମବାୟ ସମିତି (Luchapada cooperative society banks)ରେ ନିଜର କଷ୍ଟ ଅର୍ଜିତ ଅର୍ଥରୁ କିଛି ଭବିଷ୍ୟତ ପାଇଁ ଜମା କରିଥିବା ଅନେକ ପରିବାର ନିଜର ଅର୍ଥ ପାଇବା ପାଇଁ ଦୌଡି ଦୌଡି ହତାସ ହେଉଥିବା ବେଳେ ସମିତିର ଅଜବ ନୀତି ସାଙ୍ଗକୁ କୌଣସି ସ୍ପଷ୍ଟ ଉତ୍ତର ନ ମିଳିବା ଅଭିଯୋଗ ହୋଇଛି । ଜମାକାରୀଙ୍କ ଖାତାରେ କେତେ ଅର୍ଥ ରହିଛି ଏବଂ କେତେ ଅର୍ଥ ଉଠାଯାଇଛି ସେ ସମ୍ପର୍କରେ ମଧ୍ୟ କାହାରି ପାଖରେ ଉତ୍ତର ନାହିଁ । ଜଣେ ଜମାକାରୀଙ୍କ ଖାତାରେ ୨୨ ହଜାର ଟଙ୍କା ଥିବା ବେଳେ ଉଠିଛି ୧ ଲକ୍ଷ ଟଙ୍କା ଥିବା ନେଇ ଅଭିଯୋଗ ହୋଇଛି ।

ବ୍ରହ୍ମପୁର ସହର ଉପକଣ୍ଠ ଲୋଚାପଡା ସେବା ସମବାୟ ସମିତିରେ ନିଜର ସଞ୍ଚୟ ଅର୍ଥ ଜମା କରିଥିବା ଜଣେ ଜମାକାରୀ କୃଷ୍ଣଚନ୍ଦ୍ର ସାହୁ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ତାଙ୍କ କହିବା କଥା ତାଙ୍କର ବାପା ଓ ମାଆଙ୍କ ସମେତ ତାଙ୍କର ଏହି ସମିତିରେ ଜମାଖାତା ରହିଆସିଛି । ଇତିମଧ୍ୟରେ ବାପା ରବୀନ୍ଦ୍ର ସାହୁଙ୍କ ଗତ ୨୦୨୧ ମସିହା ଏପ୍ରିଲ ୨୨ ତାରିଖରେ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ନିଜର ବାପାଙ୍କ ଜମା ଖାତାରେ ୨୨,୧୯୦ ଟଙ୍କା ରହିଥିବା ନେଇ ସମବାୟ ସମିତି କର୍ତ୍ତୃପକ୍ଷଙ୍କ ନିକଟକୁ ଉଠାଇବା ପାଇଁ ଯାଇଥିଲେ । ହେଲେ ସମିତିର ଲେଜର ଖାତାରେ ୧୦ ହଜାର, ୨୦ ହଜାର, ୧୦ ହଜାର, ୫୦ ହଜାର ଏବଂ ୩୦ ହଜାର ଏଭଳି ମୋଟ ବିଭିନ୍ନ ତାରିଖରେ ୧ ଲକ୍ଷ ୨୦ ହଜାର ଟଙ୍କା ଉଠାଇ ନିଆଯାଇଛି ବୋଲି ଦର୍ଶାଯିବା ସହିତ କୃଷ୍ଣଚନ୍ଦ୍ରଙ୍କ ବାପା ବ୍ୟାଙ୍କକୁ ୯୭ ହଜାର ୭୧୦ ଟଙ୍କା ବକେୟା ରହିଥିବା କୁହାଯାଇଛି ।

କେବଳ ସେତିକି ନୁହେଁ କୃଷ୍ଣଚନ୍ଦ୍ରଙ୍କ ମା'ଙ୍କ ନାମରେ ରହିଥିବା ଏକ ଜମାଖାତାରେ ବର୍ତ୍ତମାନ ୧୯୯୦ ଟଙ୍କା ରହିଥିବା ଦର୍ଶାଉଛି । ଆଉ ସେହି ଅର୍ଥ ପାଇବା ପାଇଁ ଆବେଦନ କରାଯିବାରୁ ମା'ଙ୍କ ଜମାଖାତାରେ ମଧ୍ୟ ପୂର୍ବରୁ ବିଭିନ୍ନ ତାରିଖରେ ୫୦ହଜାର ଲେଖାଏଁ ୩ ଥର ଲେଖାଏଁ ମିଶାଯାଇ ଉଠାଇ ନିଆଯାଇଥିବା ଦର୍ଶାଇ ମୋଟ ୧ ଲକ୍ଷ ୪୮ ହଜାର ଟଙ୍କା ବକେୟା ରହିଥିବା କୁହାଯାଇଛି । ଯାହାକୁ ନେଇ କୃଷ୍ଣ ପ୍ରଶ୍ନ ଉଠାଇବା ସହ ଜମାକାରୀଙ୍କ ଖାତାରେ ଅର୍ଥ ନଥାଇ କିପରି ଟଙ୍କା ଦିଆଗଲା, ଯଦି କୌଣସି ଋଣ ଦିଆଯାଇଛି ତାହା ହେଲେ ସିକ୍ୟୁରିଟି ମଡଗେଜ୍ ବାବଦକୁ କଣ ରଖାଯାଇଥିଲା ତାହାକୁ ନେଇ ପ୍ରଶ୍ନ କରିବା ସହ କେବଳ କାର୍ଯ୍ୟାଳୟର କେବଳ ଲେଜରରେ ଏନେଇ ସୂଚିତ କରାଯାଇଥିବାରୁ ତୁରନ୍ତ ତଦନ୍ତ କରି ନିଜ ଜମା ଖାତାରେ ରହିଥିବା ଜମା ଅର୍ଥ ପ୍ରଦାନ କରିବାକୁ ଦାବି କରାଯାଇଛି । ଏପରିକି ମଣ୍ଡି ପାଇଁ ପ୍ରତ୍ୟେକ ବର୍ଷ ଜମାକାରୀମାନେ ଉଠାଣ ଫର୍ମ ପୂରଣ କରୁଥିବା ଯୋଗୁଁ ଏପରି ହେଉଥିବା କୁହାଯାଇଛି ।

ଏହା ବି ପଢନ୍ତୁ-Best Three Police Stations In India: ଦେଶର ଶ୍ରେଷ୍ଠ ଥାନା ରୂପେ ଚୟନ ହେଲା ଗଞ୍ଜାମର ଆସିକା ଥାନା

ମୁଖ୍ୟତଃ ୨୦୨୦ ମସିହାରେ ଜାନୁଆରୀ ମାସରେ ହଠାତ୍ ସମିତି କାର୍ଯ୍ୟାଳୟ ପରିସରରେ ରାତ୍ର ସମୟରେ ଏକ ଅଗ୍ନିକାଣ୍ଡ ହେବା ଯୋଗୁଁ ସେଠାକାର ସମସ୍ତ କାଗଜପତ୍ର ପୋଡ଼ି ନଷ୍ଟ ହୋଇଯିବା ସହ ସମ୍ପାଦକ ମଧ୍ୟ ପୋଡ଼ି ମୃତ୍ୟୁବରଣ କରିଥିଲେ । ସେପଟେ କୃଷ୍ଣଚନ୍ଦ୍ରଙ୍କ ଅଭିଯୋଗକୁ ଛାଡ଼ିଲେ ଗତ ୨୦୨୦ ମସିହାରୁ ଅଦ୍ୟାବଧି ଅନେକ ଜମାକାରୀମାନେ ନିଜର ଜମା ଅର୍ଥ ପାଇବା ପାଇଁ ନାନା ହଇରାଣ ହରକତ ହୋଇ ଆସୁଥିବା କହିଛନ୍ତି । ସେହିପରି ଜଣେ ନୁହେଁ କି ଦୁଇ ଜଣ ଶହ ଶହ ଜମାକାରୀଙ୍କ ଅର୍ଥକୁ କେବେ ପ୍ରଦାନ କରାଯିବ ତାହାର ସ୍ପଷ୍ଟ ଉତ୍ତର କାହାରି ପାଖରେ ନଥିବା ବେଳେ କେଉଁ ଜମାକାରୀଙ୍କ ଖାତାରେ କେତେ ଅର୍ଥ ରହିଛି ଏବଂ କେତେ ଅର୍ଥକୁ ଉଠାଇ ନିଆଯାଇଛି ତାହାର ସ୍ପଷ୍ଟ ଉତ୍ତର ମଧ୍ୟ କାହାରି ପାଖରେ ନଥିବା ଜଣାଯାଇଛି ।

ସେପଟେ ଜମାକାରୀମାନେ ନିଜର କଷ୍ଟ ଅର୍ଜିତ ଅର୍ଥକୁ ପାଇବା ପାଇଁ ବାରମ୍ୱାର ଦୌଡିବା ପରେ କୌଣସି ସୁଫଳ ନମିଳିବାରୁ ଶେଷରେ ବାଧ୍ୟ ହୋଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିବା ଦେଖାଯାଇଛି । ସେପଟେ ସମବାୟ ସମିତିର ଡେପୁଟି ରେଜିଷ୍ଟ୍ରାରଙ୍କ ଇଟିଭି ଭାରତ ସହ ଆଲୋଚନା ସମୟରେ କହିବା କଥା ଘଟଣାର ତଦନ୍ତ ଚାଲିଛି । ଖୁବଶ୍ରୀଘ୍ର ଜମାକାରୀଙ୍କ ଅର୍ଥ ପ୍ରଦାନ କରିବାକୁ କଣ ପଦକ୍ଷେପ ନିଆଯିବା ତାହାରି ଉପରେ ଆଲୋଚନା କରାଯାଉଛି । ମୁଖ୍ୟତଃ ଗ୍ରାମାଞ୍ଚଳର ଜନସାଧାରଣଙ୍କ ପାଇଁ ଭରସା ପାଲଟିଥାଏ ପଞ୍ଚାୟତରେ ରହିଥିବା ସେବା ସମବାୟ ସମିତି ଉପରେ । ଏଣୁ ସେମାନଙ୍କ ରୋଜଗାର ଅର୍ଥରୁ ସଞ୍ଚୟ କରି ଅତ୍ୟନ୍ତ ଭରସା କରି ସମିତିରେ ଅର୍ଥ ଜମା କରିଥାନ୍ତି ଏବଂ ଆବଶ୍ୟକ ସମୟରେ ତାହାକୁ ଉଠାଇଥାନ୍ତି ।

ହେଲେ ବ୍ରହ୍ମପୁର ସହରର ଉପକଣ୍ଠରେ ରହିଥିବା ଲୋଚାପଡା ସେବା ସମବାୟ ସମିତିରେ ଏପରି ମନମୁଖୀ ଏବଂ ଅର୍ଥ ଆତ୍ମସାତ କରିବା କାର୍ଯ୍ୟ ଯୋଗୁଁ ଦିନକୁ ଦିନ ଗୋଟିଏ ନୁହେଁ ଅନେକ ଅଭିଯୋଗ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପଟେ ୨୦୨୦ ସମିତିରେ ଘଟିଯାଇଥିବା ଅଗ୍ନିକାଣ୍ଡ ପରବର୍ତ୍ତୀ ସମୟରେ ବିଭିନ୍ନ ନଥିପତ୍ର ପୋଡିଯାଇଥିବା ଦର୍ଶାଇ ସ୍ଥାନୀୟ ଅଞ୍ଚଳର ଗରୀବ ଓ ଅସହାୟ ଜମାକାରୀଙ୍କ କଷ୍ଟ ଅର୍ଜିତ ଜମା ଅର୍ଥକୁ ଫେରସ୍ତ କରାଯାଉନାହିଁ କି କୌଣସି ଅଭିଯୋଗକୁ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ଆଗାମୀ ଦିନରେ ଏହାକୁ ନେଇ ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details