ବ୍ରହ୍ମପୁର:କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀଙ୍କ ବିକ୍ଷୋଭ ପଦର୍ଶନ । ପାଞ୍ଚ ଦଫା ଦାବି ନେଇ ବ୍ରହ୍ମପୁରର ବିସିସି ବ୍ୟାଙ୍କ ସମ୍ମୁଖରେ ଧାରଣା । ଅଲ୍ ଓଡିଶା ସେଣ୍ଟ୍ରାଲ କର୍ପୋରେଟିଭ୍ ବ୍ୟାଙ୍କ ୟୁନିଅନ ଡାକରାକୁ ସମର୍ଥନ ଜଣାଇ ପ୍ରତିବାଦ କରିଛନ୍ତି କର୍ମଚାରୀ । ଦାବି ପୂରଣ ନହେଲେ ବଡ଼ ଧରଣର ଆନ୍ଦୋଳନ ହେବା ନେଇ ଦେଲେ ଚେତାବନୀ ।
ତେବେ କର୍ମଚାରୀମାନଙ୍କ ଦାବି ଗୁଡ଼ିକ ହେଉଛି ୨୦୧୬ ଠାରୁ ସପ୍ତମ ବେତନ ହାରରେ ଏରିଅର ପ୍ରଦାନ କରିବା । ପେନସନ୍ କର୍ପସ ଫଣ୍ଡ ଗଠନ କରିବା । ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ଦୁଇ ସ୍ତରରେ ବ୍ୟାଙ୍କ ବ୍ୟବସ୍ଥା କାର୍ଯ୍ୟକାରୀ କରିବା । କ୍ୟାଡର ଫଣ୍ଡ ଆର୍ଥିକ ସହାୟତା ପୁନଃ ବିଚାର ଓ ପେକ୍ସ ଆକାଉଣ୍ଟ ଭଳି ଦାବି ନେଇ ତିନି ଦିନ ଧରି ଏପରି ଧାରଣାରେ ସାମିଲ ହେବାକୁ କର୍ମଚାରୀମାନେ ସ୍ଥିର କରିଛନ୍ତି ।
ମୁଖ୍ୟତଃ କେନ୍ଦ୍ର ସମବାୟ ବ୍ୟାଙ୍କ ଦୀର୍ଘ ବର୍ଷ ଧରି କ୍ଷତିରେ ଚାଲୁଥିବା ବେଳେ ରାଜ୍ୟରେ କାର୍ଯ୍ୟ କରୁଥିବା ୧୭ଟି କେନ୍ଦ୍ର ସମବାୟ ବ୍ୟାଙ୍କରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଉଦ୍ୟମରେ ସମସ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ୨୦୦୪ ମସିହା ଠାରୁ ଲାଭ ପଦର୍ଶନ କରି ଆସୁଛନ୍ତି । କିନ୍ତୁ ଦୁଃଖର ବିଷୟ କର୍ମଚାରୀମାନଙ୍କ ସାମାଜିକ ବ୍ୟବସ୍ଥା ସହିତ ଦରମା ବୃଦ୍ଧି କରିବା କ୍ଷମତା ପରିଚାଳନା ମଣ୍ଡଳୀ ପାଖରେ ନ୍ୟସ୍ତ ଥିଲେ ମଧ୍ୟ ସରକାରଙ୍କ ବିନା ଅନୁମତିରେ ଏହାକୁ ବାଦ ଦିଆଯାଇଛି । ଯାହା ଏକ ବିଚିତ୍ର ବ୍ୟବସ୍ଥା ବୋଲି କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ । କର୍ମଚାରୀମାନଙ୍କୁ ସପ୍ତମ ବେତନ ୨୦୧୬ ଠାରୁ ପ୍ରଦାନ କରିବା ବଦଳରେ ୨୦୧୯ ମସିହା ଠାରୁ ପ୍ରଦାନ କରାଯାଇଛି । ସେହିପରି ୨୦୧୯ ଠାରୁ ଯେଉଁମାନେ ବ୍ୟାଙ୍କରେ ଚାକିରି କରିଛନ୍ତି ସେମାନେ ଅବସର ପରେ ଇପିଫଓ ସ୍କିମ ଅଧୀନରେ ପେନସନ ପାଇବେ ନାହିଁ । ତେଣୁ ମହାସଂଘ ପକ୍ଷରୁ ସେମାନଙ୍କ ପାଇଁ ଏକ ପେନସନ ପାଣ୍ଠି ଗଠନ କରିବାକୁ ମଧ୍ୟ ଦାବି ହୋଇଛି ।