ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ପ୍ରେମରେ ପ୍ରତାରଣା ଓ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା ଦେବା ଘଟଣା ଆପଣ ଅନେକ ଶୁଣିଥିବେ । ହେଲେ ଏମିତି ଏକ ଖବର ଏବେ ନଜରକୁ ଆସିଛି ଯାହାକି ଆପଣଙ୍କୁ ଚକିତ କରିବ । ପ୍ରେମିକାର ଜିଦ ଆଗରେ ହାର ମାନିଛି ପ୍ରେମିକା । ଧାରଣାସ୍ଥଳରେ ପ୍ରେମିକା ମଥାରେ ସିନ୍ଦୁର ଦେଇ ସାତ ଜନ୍ମର ସାଥୀ କରିଛି ପ୍ରେମିକ । ଆଉ ଉଭୟଙ୍କ ବିବାହର ସାକ୍ଷୀ ହୋଇଛି ଗାଁ ରାସ୍ତା । ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟ ଗାଲେରି ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ସାହି ରାସ୍ତା ସାଜିଥିଲା ବିବାହ ମଣ୍ଡପ । ବର କନ୍ୟା ମୁଣ୍ଡରେ ମୁକୁୁଟ ପିନ୍ଧି ବେକରେ ଫୁଲମାଳ ପକାଉଛନ୍ତି ଏବଂ ଚାରିଆଡେ ଜନସମୁଦ୍ର ।ବିବାହ ପରି ପବିତ୍ର ତଥା ମଧୁର ସମ୍ପର୍କର ସାକ୍ଷୀ ସାଜିଲେ ଗାଁ ଲୋକ ଓ ସମାଜସେବୀ ।
ଖବରଅନୁସାରେ, ବ୍ରହ୍ମପୁର ଗୋଷାଣୀ ନୂଆଁ ଗାଁ ନେହୁରୁ ନଗର ଟିନା ସାହୁ ଗାଲେରି ଗ୍ରାମର ପୁଅ ଦୁଷ୍ମନ୍ତ ସାହୁ ସହିତ ଗୋଟିଏ ବିବାହରେ ଦେଖା ହେଲା ପରେ ପ୍ରେମ ହୋଇଗଲା । ଗତ ତିନିବର୍ଷ ହେଲା ସେମାନଙ୍କ ମଧ୍ୟରେ ଚାଲିଥିଲା ଚୋରା ପୀରତି । ହେଲେ ପୁଅ ଯେତେବେଳେ ପରିବାର କଥାରେ ପଡି ଝିଅକୁ ବିବାହ କରିବାକୁ ମନା କରିଦେଲା ତା ପରଠୁ ଟିନା ବାରମ୍ବାର ଆତ୍ମହତ୍ୟା ଉଦ୍ୟମ କରୁଥିଲା । ୩ ବର୍ଷର ଭଲପାଇବାକୁ ଛାଡି ବଞ୍ଚିବା ସମ୍ଭବପର ନଥିଲା । ଝିଅ ନିଜର ହକ ଦାବି ନେଇ ଗତ ପାଞ୍ଚ ଦିନ ହେଲା ପ୍ରେମିକ ଘର ଆଗରେ ଧାରଣାରେ ବସିଥିଲା । ହେଲେ ଏହା ଦେଖି ପୁଅ ଘର ତାଲା ପକାଇ କୁଆଡେ ଚମ୍ପଟ ମାରିଥିଲେ ।