ଭଞ୍ଜନଗର: ବିଭିନ୍ନ ଦାବିନେଇ ଆଦିବାସୀ ଭାରତ ମହାସଭା ପକ୍ଷରୁ ଭଞ୍ଜନଗରଠାରେ ଆଦିବାସୀ ମେଳି ଅନୁଷ୍ଠିତ ହୋଇଯାଇଛି । ଏହି ମେଳିରେ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଭେଜିପୁଟ ବାଇପାସ ଛକଠାରୁ ଏକ ବିରାଟ ଶୋଭାଯାତ୍ରାରେ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ଏହାପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଯାହାଫଳରେ ଭଞ୍ଜନଗର-ଫୁଲବାଣୀ ବସ ଚଳାଚଳ ବନ୍ଦ ରହିଥିଲା ।
ଭଞ୍ଜନଗରରେ ଆଦିବାସୀ ମେଳି, ଉପଜିଲ୍ଲାପାଳଙ୍କୁ ଦେଲେ 8 ଦାବିପତ୍ର ତେବେ ଆଦିବାସୀଙ୍କ ଦାବି ଅନୁସାରେ ପୁରୁଷ ପୁରୁଷ ଧରି ଜଙ୍ଗଲରେ ବାସ କରି ଫଳମୂଳ, କାନ୍ଦୁଲ, ମହୁଲ,କେନ୍ଦୁ, ଚେରେଙ୍ଗା ଓ ଖଲି ଆଦି ସଂଗ୍ରହକରି ଜୀବିକା ନିର୍ବାହ କରୁଥିବା ଆଦିବାସୀଙ୍କୁ ଶିକ୍ଷା ଓ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ କରାଯାଉଛି । ଏହାସହ ରାସ୍ତା ଘାଟ ପାନୀୟଜଳ ଭଳି ମୌଳିକ ସେବା କ୍ଷେତ୍ରରେ ମଧ୍ୟ ଅବହେଳାର ଶିକାର ହେଉଛନ୍ତି ଏହି ଆଦିବାସୀ ସମ୍ପ୍ରଦାୟ ।
ସେହିପରି ଘୁମୁସରର ଲଢ଼ୁଆ ପୁଅ ଚାକରା ବିଶୋଇଙ୍କ ନେତୃତ୍ବରେ ଆଦିବାସୀ ମାନେ ଯେଉଁ ହକ ପାଇଥିଲେ ତାହା ସ୍ବାଧୀନତାର 72 ବର୍ଷ ପରେ ମାଟିରେ ମିଶିଯାଇଛି । ଆଉ ହକ ମାଗିଲେ ମାରିବାର ଧମକ ମିଳୁଛି ନ ହେଲେ ମିଛ କେସରେ ଜେଲ ପଠାଇବାର ଧମକ ମିଳୁଥିବା କହିଛନ୍ତି ଆନ୍ଦୋଳନ କରୁଥିବା ଆଦିବାସୀ ।
ଏହି ଆନ୍ଦୋଳନରେ ସେମାନେ ଆଠଟି ଦାବି ରଖିଛନ୍ତି । ସେହି ଦାବି ଗୁଡିକ ହେଲା, ଜଙ୍ଗଲ ଆଇନ 1927ରେ ସଂଶୋଧନକୁ ପ୍ରତ୍ୟାହାର, ଆଦିବାସୀ ନେତାଙ୍କୁ ମିଥ୍ୟା ଗାରଫଦାରି ବନ୍ଦ, ଆଦିବାସୀଙ୍କ ସ୍ବାର୍ଥ ପାଇଁ ଓକିଲ ନିଯୁକ୍ତି, ଜଙ୍ଗଲ ଅଧିକାର ଆଇନ 2006କୁ କଡାକଡି କାର୍ଯ୍ୟକାରୀ କରି ପଟା ପ୍ରଦାନ କରିବା ଏବଂ ଆଦିବାସୀ ଓ ବନବାସୀଙ୍କୁ ପ୍ରଦାନ କରାଯାଇଥିବା ଜମିକୁ ଚିହ୍ନ୍ନଟ କରିବା ପରି 8ଟି ଦାବିପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ