ଭଞ୍ଜନଗର: ଆଦିବାସୀଙ୍କ ବିକାଶ ପାଇଁ ସରକାରଙ୍କ ଯୋଜନା ପରେ ଯୋଜନା କରିଛନ୍ତି । କିନ୍ତୁ ଏମାନଙ୍କ ଠାରୁ ଯୋଜନା ବହୁ ଦୂରରେ । ଏଭଳି ଏକ ଗାଁ ରହିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ସୁରମଣୀ ପଞ୍ଚାୟତର କୃଷ୍ଣପୁର ଗ୍ରାମରେ ଯେଉଁଠି ସ୍ବାସ୍ଥ୍ୟ ଶିକ୍ଷା ବିଜୁଳି ଗମନାଗମନ ଭଳି ମୌଳିକ ସୁବିଧା ପାଲଟି ଯାଇଛି ସାତସପନ ।
ଏହି କୃଷ୍ଣପୁର ଗାଁରେ 20ରୁ ଊର୍ଦ୍ଧ୍ବ ଆଦିବାସୀ ପରିବାର ବସବାସ କରନ୍ତି । ଅଠର ବର୍ଷ ହେଲା ଏଠାରେ ବସ୍ତି ସ୍ଥାପନ କରି ବସବାସ କରିଆସୁଛନ୍ତି । ସରକାର ସବୁ ଗାଁକୁ ପକ୍କା ରାସ୍ତା ,ବିଜୁଳି ପାନୀୟ ଜଳ ,ଅଙ୍ଗନବାଡି କେନ୍ଦ୍ର ଆଦି ଯୋଗାଇଦେଇଛନ୍ତି । ଏହି ଆଦିବାସୀଙ୍କ ପାଇଁ ଏହି ସବୁ ଯୋଜନା ସାତସପନ ପାଲଟି ଯାଇଛି ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ । ପ୍ରତ୍ୟେକ ବର୍ଷ ପଞ୍ଚାୟତରୁ ମନରେଗା ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ରାସ୍ତାରେ ମାଟିପଡୁଛି । ହେଲେ ବର୍ଷା ଦିନ ହେଲେ ସବୁ ପାଣିରେ ଧୋଇଯାଉଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ନଳକୂପ ଅଛି ହେଲେ ତାହା ବି ଅଚଳ । ଫଳରେ ଝରଣା ପାଣି ବଞ୍ଚୁଛନ୍ତି ଲୋକେ ।