ବ୍ରହ୍ମପୁର:ଶାଳକର ଶ୍ବଶୁରକୁ ଗୁଳି କରି ହତ୍ୟା କଲା ଜ୍ବାଇଁ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଛକ ନିକଟରେ । ବାଲିପଦର ଥାନା ଅନ୍ତର୍ଗତ ଝୋଲୋରୀ ଗ୍ରାମର ପ୍ରଶାନ୍ତ ବେହେରା ନିଜ ଶାଳକର ଶ୍ବଶୁର କୋମଣ୍ଡ ଗ୍ରାମର ବିଜୟ ବେହେରାଙ୍କୁ ଗୁଳି କରିଥିବା ସୂଚନା ମିଳିଛି । ଗୁଳିକାଣ୍ଡରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଆହତ ହୋଇଥିବା ଜଣାପଡିଛି । ମୃତକ ଜଣକ ଖଲ୍ଲିକୋଟ ବ୍ଲକ କୋମଣ୍ଡ ଗ୍ରାମର ବିଜୟ କୁମାର ବେହେରା ହୋଇଥିବା ଜଣାପଡିଛି । ଗୁଳିମାଡ଼ରେ ଘଟଣାସ୍ଥଳରେ ବିଜୟଙ୍କ ଜୀବନ ଯାଇଥିବାବେଳେ ତାଙ୍କ ଝିଅ ଗାୟତ୍ରୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି ।
ସୂଚନା ଅନୁସାରେ, ଗତ କିଛି ଦିନ ହେବ ଝିଅ ଗାୟତ୍ରୀ ବେହେରାଙ୍କ ଶାଶୁ ଘରେ ସମ୍ପତ୍ତି ବିବାଦ ଲାଗି ରହିଥିଲା । ଯାହାକୁ ସମାଧାନ କରିବା ଲାଗି ଝିଅ ଘରକୁ ଆସିଥିଲେ ବାପା ବିଜୟ କୁମାର ବେହେରା । ହେଲେ ଗାୟତ୍ରୀଙ୍କ ଶାଶୁ ଘରେ ତାଙ୍କ ନଣନ୍ଦଙ୍କ ସ୍ବାମୀ ପ୍ରଶାନ୍ତ କୁମାର ବେହେରା ଉପସ୍ଥିତ ଥିଲେ । କୌଣସି କଥାକୁ ନେଇ ମନୋମାଳିନ୍ୟ ହୋଇଥିଲା । ତେବେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ବିଜୟ ବେହେରାଙ୍କୁ ଗୁଳି କରିଥିଲେ ପ୍ରଶାନ୍ତ । ଗୁଳିମାଡ଼ ପରେ ଘଟଣାସ୍ଥଳରେ ଟଳି ପଡିଥିଲେ ବିଜୟ। ସେଠାରେ ଉପସ୍ଥିତ ଥିବା ଗାୟତ୍ରୀ ମଧ୍ୟ ଗୁରୁତର ହୋଇଥିଲେ ।
ଗୁଳିମାଡ଼ ପରେ ପୋଲସରା ଅଗ୍ନିଶମ ବିଭାଗ ସେଠାରେ ପହଞ୍ଚିଥିଲା । ବାପଝିଅଙ୍କୁ ଉଦ୍ଧାର କରି ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିବାବେଳେ ଡାକ୍ତର ବିଜୟଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ପୋଲସରା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଅଗ୍ନିଶମ ବିଭାଗ ଦ୍ଵାରା ପୋଲସରା ଗୁଳିକାଣ୍ଡରେ ମୃତକଙ୍କ ଝିଅ ଗାୟତ୍ରୀ ବେହେରା ଆହତ ହୋଇଥିବା ଜଣାପଡିଛି । ତେବେ ଗତ କିଛି ଦିନ ହେବ ଗାୟତ୍ରୀ ବେହେରାଙ୍କ ଶାଶୁ ଘରେ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଥିଲା । ଯେଉଁ ବିବାଦକୁ ସମାଧାନ କରିବାକୁ ଆସିଥିବାବେଳେ ଗାୟତ୍ରୀଙ୍କ ବାପା ବିଜୟଙ୍କ ଜୀବନ ଯାଇଛି ।