ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ ଏକଲପୁର ଗ୍ରାମ ନିକଟରେ ଥିବା କାଦୁଅ ବିଲରୁ ମିଳିଲା ମୁଣ୍ଡ-ଗଣ୍ଡି ଅଲଗା ହୋଇଥିବା ମୃତଦେହ । ଏହି ଜଘନ୍ୟ ହତ୍ୟାକାଣ୍ଡର ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ ରହିଥିବେଳେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।
ବିଲରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ ମୃତକ ଜଣକ ହୋଇଛନ୍ତି ବୋରସିଂ ଗ୍ରାମର 23 ବର୍ଷୀୟ ନୀଳାଞ୍ଚଳ ପ୍ରଧାନ । ମୃତକଙ୍କ ଦେହରୁ ମୁଣ୍ଡ ଅଲଗା ହୋଇଯାଇଥିବା ବେଳେ ମୃତଦେହ ନିକଟରେ ହିଁ ମୁଣ୍ଡଟି ପଡିଛି ।
ସୂଚନା ଅନୁସାରେ, ବୋରସିଂ ଗ୍ରାମର ନୀଳାଞ୍ଚଳ ପ୍ରଧାନ ଗତକାଲି(ବୁଧବାର) ରାତି ପାଖାପାଖି 8 ଟା ସମୟରେ ଗ୍ରାମର ଦୁଇଜଣ ଯୁବକଙ୍କ ସହ କେଉଁଆଡେ ବୁଲିବାକୁ ଚାଲି ଯାଇଥିଲେ l ଆଉ ଫେରି ନଥିଲେ । ଏନେଇ ପରେ ଘରେ ସମସ୍ତେ ଖୋଜାଖୋଜି କରିବା ପରେ ମଧ୍ୟ କିଛି ସୂଚନା ପାଇନଥିଲେ ।
ତେବେ ଆଜି(ଗୁରୁବାର) ସକାଳୁ ସକାଳୁ ବଡ଼ଗଡ଼ ଥାନା ଅନ୍ତର୍ଗତ ଏକଲପୁର ନିକଟରେ ଏକ ମୁଣ୍ଡ ବିହୀନ ମୃତଦେହ ପଡିରହିଥିବା ଦେଖିବାକୁ ମିଳିଥିଲା । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ