ବ୍ରହ୍ମପୁର: ଗଞ୍ଜାମରେ ଉଗ୍ର ରୂପ ଧାରଣ କରୁଛି କୋରୋନା ପରିସ୍ଥିତି । ରାଜ୍ୟର ସର୍ବାଧିକ ମାମଲା ଏହି ଜିଲ୍ଲାର ଚିହ୍ନଟ କରାଯାଇଛି । ଏପରି ସ୍ଥିତିରେ ପ୍ରଶାସନ କୋରୋନା ମୁକାବିଲା କରୁଛନ୍ତି । ମୁଖ୍ୟତଃ କୋରୋନା ପ୍ରଭାବିତ ଅଞ୍ଚଳକୁ ଅଧିକ ଫୋକସ କରାଯାଉଛି । ରୋଡ ଜୋନ ଅଞ୍ଚଳରେ ଅଧିକରୁ ଅଧିକ ଟ୍ରାକିଙ୍ଗ, ଟ୍ରେସିଙ୍ଗ,ଟେଷ୍ଟଂ ଓ ଟ୍ରିଟମେଣ୍ଟକୁ ଗୁରୁତ୍ବ ଦିଆଯାଉଛି । ଗଞ୍ଜାମ-ଛତ୍ରପୁର ଉପଖଣ୍ଡର 8 ବ୍ଲକ ଓ 9 ସହରାଞ୍ଚଳରେ ସ୍ବତନ୍ତ୍ର ନଜର ରଖିଛି ଗଞ୍ଜାମ ପ୍ରଶାସନ।
ଉପଖଣ୍ଡର ୮ଟି ବ୍ଲକର 937 ଗାଁ ରୁ ୧୨୪ ଗାଁ ତଥା ୧୩ ପ୍ରତିଶତ ଗାଁ ରେଡ ଜୋନ୍ରେ ରହିଛି । ୯ଟି ସହରାଞ୍ଚଳର137ଟି ମଧ୍ୟରୁ ୭୨ଟି ୱାର୍ଡ ରେଡ୍ ଜୋନ । ଏହି ଅଞ୍ଚଳରେ ଜଣେ ଲେଖାଏଁ ଓଏସଡି ଅଫିସରଙ୍କୁ ନିଯୁକ୍ତ କରାଯାଇଥିବା କୁହାଯାଇଛି । ଏହି ଅଧିକାରୀମାନେ ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବା ଏବଂ ସମସ୍ୟା ହେଲେ ବିଡିଓ, ତହସିଲଦାର କିମ୍ବା ସହରାଞ୍ଚଳର ଅଧିକାରୀଙ୍କୁ ଜଣାଇବେ । ବଳକା ଗାଁ ଓ ୱାର୍ଡ ଗ୍ରୀନ ଜୋନରେ ଥିବା ଜଣାପଡିଛି ।
ଜିଲ୍ଲାର ସଦର ମୁହକୁମା ଛତ୍ରପୁରସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆୟୋଜିତ ସମ୍ମିଳନୀରେ ଛତ୍ରପୁର ଉପଖଣ୍ଡର ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ପାରୁଲ ପାଟୱାରୀ ଏହି ସମସ୍ତ ସୂଚନା ଦେଇଛନ୍ତି । ଜିଲ୍ଲାରେ କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତ ହୋଇଥିବା ଆଇଏଏସ ଅଧିକାରୀ ପାରୁଲ ପାଟୱାରୀ ଛତ୍ରପୁର ଉପଣ୍ଡର ସ୍ବତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ବ ଦିଆଯିବା ସହ ସେ ନିଜେ ଏହାର ତଦାରଖ କରୁଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ମଧ୍ୟ ଉପସ୍ଥିତ ରହିଥିଲେ ।