ବ୍ରହ୍ମପୁର: ଖୋର୍ଦ୍ଧାରୁ ଭୁବନେଶ୍ବର ଯାଉଥିଲେ ଯୁବକ । ଟ୍ରେନରୁ ଓହ୍ଲାଇବା ସମୟରେ ପଡିଯିବା ଯୋଗୁଁ କଟିଗଲା ହାତ । ଉକ୍ତ ଯୁବକ ହେଲେ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକର ସାମଲନାସି ଅଞ୍ଚଳର ରତ୍ନାକର ଜାଲି । ତେବେ ରତ୍ନାକରଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଥିଲା । ତେବେ ଅର୍ଥ ଅଭାବ ସହିତ ଅନେକ ସମସ୍ୟାରେ ସମ୍ମୁଖୀନ ହେଉଥିବା ବେଳେ ଦେବଦୂତ ସାଜିଥିଲେ ପାଣ୍ଡିଆନ । ହସ୍ପିଟାଲରେ ପହଞ୍ଚି ସହଯୋଗର ହାତ ବଢାଇଥିଲେ ।
ଘଟଣା ରହିଥିଲା ଏପରି:ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକର ସାମଲନାସି ଅଞ୍ଚଳର ରତ୍ନାକର ଜାଲି ନାମକ ଜଣେ ବ୍ୟକ୍ତି ଖୋର୍ଦ୍ଧାରୁ ଭୁବନେଶ୍ୱର ଷ୍ଟେସନକୁ ଟ୍ରେନ ଯୋଗେ ଯାଉଥିବା ବେଳେ ସେ ଓହ୍ଲାଇବା ସମୟରେ ପଡିଯିବା ଯୋଗୁଁ ଟ୍ରେନରେ ତାଙ୍କ ହାତ କଟିଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଆଇ.ସି.ୟୁ ବେଡର ଅଭାବ ରହିଥିଲା । ଏଭଳି ସମୟରେ ହସ୍ପିଟାଲ ଡାକ୍ତର ତାଙ୍କୁ ତୁରନ୍ତ ଅନ୍ୟ ହସ୍ପିଟାଲକୁ ନେଇଯିବାକୁ ପରାମର୍ଶ ଦେଇଥିଲେ । ଏଥି ସହିତ ତୁରନ୍ତ ଆଇ.ସି.ୟୁ ବ୍ୟବସ୍ଥା ନହେଲେ ବଞ୍ଚିବା ଅସମ୍ଭବ ହୋଇଯିବ ବୋଲି କହିଥିଲେ । ଗୋଟିଏ ପଟେ ଅର୍ଥର ଅଭାବ ରହିଥିବା ବେଳେ ଡାକ୍ତରଙ୍କ ଏଭଳି କଥା ଶୁଣି ପରିବାର ଉପରେ ଦୁଃଖର ବ୍ରଜ ପ୍ରହାର ପଡିଲା ଭଳି ଲାଗିଥିଲା ।