ବ୍ରହ୍ମପୁର: ବୁଗୁଡା ବ୍ଲକର ଶିକ୍ଷାଧିକାରୀଙ୍କୁ ବଟି ମାଗି ଧମକଚମକ ଦେବା ଅଭିଯୋଗରେ ତିନି ସାମ୍ୱାଦିକ ଗିରଫ । ରାଜଧାନୀ ଭୁବନେଶ୍ୱର ପରେ ଗଞ୍ଜାମ ଜିଲ୍ଲାରେ ତିନି ଜଣ ଗଣମାଧ୍ୟମ ପ୍ରତିନିଧି ଗିରଫ ହେବା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।
ବିଇଓଙ୍କୁ ବଟି ମାଗିବା ଓ ଧମକଚମକ ଦେବା ଅଭିଯୋଗରେ 3 ସାମ୍ବାଦିକ ଗିରଫ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ବିଇଓ ରସାନନ୍ଦ କରଙ୍କ ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲା ଅନୁଯାୟୀ ଦୁଇ ଜଣ ବୈଦ୍ୟୁତିକ ଗଣମାଧ୍ୟମ ଏବଂ ଜଣେ ଛାପା ଗଣମାଧ୍ୟମ ସାମ୍ବାଦିକ ମିଳିତ ଭାବରେ ଖବର ସଂଗ୍ରହ ଆଳରେ ବିଇଓ କାର୍ଯ୍ୟାଳୟକୁ ଯାଇ ୫୦୦୦ ଟଙ୍କା ଦାବି କରି ଫେରି ଆସିଥିଲେ। ତା’ ପରବର୍ତ୍ତୀ ସମୟରେ ପୋଲସରା ଅଞ୍ଚଳର ସାମ୍ବାଦିକ ବିଇଓଙ୍କୁ ବାରମ୍ବାର ଫୋନ୍ କରି ବୁଗୁଡା ସାମ୍ବାଦିକଙ୍କୁ ଦାବି ମୁତାବକ ଅର୍ଥ ଦେବାକୁ କହିଥିଲେ।
ଏନେଇ ବିଇଓ ଯେତେବେଳେ ବୁଗୁଡାର ସାମ୍ବାଦିକଙ୍କୁ ଯୋଗାଯୋଗ କଲେ ସେତେବେଳେ ସେ ୧୫,୦୦୦ ଟଙ୍କା ସହ ପରବର୍ତ୍ତୀ ସମୟରେ ୫୦ ହଜାର ଟଙ୍କା ଦାବି କରିଥିଲେ। ଏଥିରେ ବିଇଓ ଅମଙ୍ଗ ହେବାରୁ ତାଙ୍କ ବିରୋଧରେ ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାର ଭୟ ଦେଖାଇବା ସହିତ ଫୋନ ଯୋଗେ ଧମକ ଚମକ ଦେଇଥିଲେ । ତାଙ୍କ ଅନୁପସ୍ଥିତିରେ ଜୋରଜବରଦସ୍ତ କାର୍ଯ୍ୟାଳୟରେ ପଶି ନ୍ୟୁଜ୍ କରିବା ଭଳି ଅଭିଯୋଗ ଆଣି ଏତଲା ଦେଇଥିଲେ । ପ୍ରମାଣ ସ୍ୱରୂପ ବ୍ଲକ ଶିକ୍ଷାଧିକାରୀ ଫୋନ୍ ରେକଡିଙ୍ଗ୍ ସହିତ ସିସିଟିଭି ଫୁଟେଜ୍ ଦାଖଲ କରିବା ସହିତ ଘଟଣା ସଂପର୍କରେ ଜିଲ୍ଲା ପ୍ରଶାସନର ଅବଗତ କରିଥିଲେ ।
ଏ ନେଇ ପୋଲିସ ପକ୍ଷରୁ ତିନି ଜଣ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରି କେସ୍ ନମ୍ବର ୩୦୮/୨୦ ଏବଂ ଦଫା ୩୫୩, ୩୮୫, ୫୦୬, ୫୦୭ ଓ ୩୪ ଅନୁସାରେ ଗିରଫ କରିଛି । ଗିରଫ ତିନି ଯୁବକ କାଳିଆ ପାଢୀ, ଆଲୋକ ଗୌଡ ଏବଂ ମନୋଜ କୁମାର ଘଡେଇକୁ କୋର୍ଟଚାଲାଣ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ