ବ୍ରହ୍ମପୁର: ବ୍ରହ୍ମପୁର ସହରର ମେଡିକାଲ କ୍ୟାମ୍ପସ୍ ହାଇସ୍କୁଲ ଓ କେନ୍ଦ୍ରୀୟ ବିଦ୍ୟାଳୟର ୨ ଛାତ୍ର ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍ତି । ଚିଲିକା କୂଳରେ ବସବାସ କରୁଥିବା ଗ୍ରାମବାସୀଙ୍କ ବୃତ୍ତିକୁ ନେଇ ଜିଓ ଟ୍ୟାଙ୍ଗି ସମ୍ପର୍କିତ ସର୍ବେକ୍ଷଣ ରିପୋର୍ଟ ପାଇଁ ବ୍ରହ୍ମପୁର ସହରର ମେଡିକାଲ କ୍ୟାମ୍ପସ୍ ହାଇସ୍କୁଲ ଦେଶରେ ସର୍ବଶ୍ରେଷ୍ଠ ପୁରସ୍କାର ମିଳିଛି । ମିଳିତ ଜାତିସଂଙ୍ଘ ପକ୍ଷରୁ ହାଇଦ୍ରାବାଦ ଠାରେ ଅନୁଷ୍ଠିତ ଦ୍ୱିତୀୟ ବିଶ୍ୱ ଭୌଗୋଳିକ ସୂଚନା କଂଗ୍ରେସରେ ବ୍ରହ୍ମପୁରର ବିଦ୍ୟାର୍ଥୀ ମାନଙ୍କ ଏଭଳି ସଫଳତା ମିଳିବା ପରେ ଦେଖିବାକୁ ମିଳିଛି ଖୁସିର ଲହରି । ରାଜ୍ୟର ଏକମାତ୍ର ହାଇସ୍କୁଲ ଭାବରେ ଦେଶରେ ଏଭଳି ପ୍ରଥମ ହୋଇଥିବାରୁ ସବୁଠି ଏହି ବିଦ୍ୟାଳୟକୁ ଶୁଭେଚ୍ଛାର ସୁଅ ଛୁଟିଛି ।
ଏସିଆର ସର୍ବବୃହତ୍ତ ହ୍ରଦ କୁହାଯାଉଥିବା ଚିଲିକାର କୂଳରେ ବସବାସ କରିଥିବା ଗ୍ରାମବାସୀଙ୍କ ବୃତ୍ତିକୁ ନେଇ ଜିଓ ଟ୍ୟାଙ୍ଗି ସହିତ ସେମାନଙ୍କ ବୃତ୍ତିଗତ ଉନ୍ନତି ସମ୍ପର୍କିତ ସର୍ବେକ୍ଷଣ ରିପୋର୍ଟ ପ୍ରସ୍ତୁତ କରି ବ୍ରହ୍ମପୁର ସହରର ଦୁଇ ବିଦ୍ୟାର୍ଥୀ ଦେଶରେ ପ୍ରଥମ ପୁରସ୍କାର ହାସଲ କରିଛି । ହାଇଦ୍ରାବାଦଠାରେ ଅନୁଷ୍ଠିତ ଦେଶର ଦ୍ୱିତୀୟ ମିଳିତ ଜାତିସଂଙ୍ଘର ବିଶ୍ୱ ଭୌଗୋଳିକ ସୂଚନା କଂଗ୍ରେସରେ ଏଭଳି ପୁରସ୍କାରରେ କରାଯାଇଛି ସମ୍ମାନିତ । ମିଳିତ ଜାତିସଙ୍ଘର ସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟକରଣ କରାଇବା ଉଦ୍ଦେଶ୍ୟ ନେଇ ବିଦ୍ୟାଳୟ ସ୍ତରରେ ଦେଶର ୧୮ ଗୋଟି ବିଦ୍ୟାଳୟ ଏପରି କାର୍ଯ୍ୟ ଆରମ୍ଭ କରିଥିଲେ ।
ପ୍ରତ୍ୟେକ ବିଦ୍ୟାଳୟରୁ ୨ ଜଣ ଲେଖାଏଁ ବିଦ୍ୟାର୍ଥୀଙ୍କୁ ନେଇ ଟିମ ଗଠନ କରି ନିଜର ସର୍ବେକ୍ଷଣ ରିପୋର୍ଟ ଦାଖଲ କରିବା ସହ ଉକ୍ତ ଅଧିବେଶନରେ ଏହାର ବିସ୍ତୁତ ରିପୋର୍ଟ କରିଥିଲେ ଉପସ୍ଥାପନ । ଯାହାକୁ ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗର ସହଯୋଗରେ ପୁଣେ ସ୍ଥିତ ଭାରତୀ ବିଦ୍ୟାପୀଠର ପରିବେଶ ଶିକ୍ଷା ଓ ଗବେଷଣା ସଂସ୍ଥାନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏଥିରେ ବ୍ରହ୍ମପୁର ଏମ.କେ.ସି.ଜି ମେଡିକାଲ କ୍ୟାମ୍ପସ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଡ.ପ୍ରଭାତୀ କୁମାରୀ ମହାପାତ୍ରଙ୍କ ତତ୍ତ୍ବାବଧାନରେ ଛାତ୍ର ନିଗମ ଦାସ ଏବଂ ସହରର କେନ୍ଦ୍ରୀୟ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ର ଆଦିତ୍ୟ ରଥ ଏହାକୁ ନେଇ ଉକ୍ତ ଅଞ୍ଚଳର କାର୍ଯ୍ୟ, ଅର୍ଥନୈତିକ ବିକାଶ ଏବଂ ଲିଙ୍ଗଗତ ସମାନତା ଭଳି ବିଷୟରେ ସର୍ବକ୍ଷେଣ କରି ଚିଲିକା-ଦି ପ୍ରୋଭାଇଡର ଶୀର୍ଷକ ଉପସ୍ଥାପନା କରିଥିଲେ ।