ବ୍ରହ୍ମପୁର :ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି । ତେବେ ଏନେଇ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଥାନା ଅର୍ନ୍ତଗତ ପଙ୍କଳବାଡ଼ି ଗ୍ରାମରେ । ତେବେ ମୃତକ ଦୁଇ ଜଣ ହେଲେ ମିଥୁନ ଭୂୟାଁ ଓ ଲିପୁନ ସ୍ବାଇଁ । ଉଭୟ ସମ୍ପର୍କରେ ଜ୍ବାଇଁ ଶଳା ବୋଲି ଜଣା ପଡ଼ିଛି ।
ଏହା ମଧ୍ୟ ପଢନ୍ତୁ- ଭଦ୍ରକରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, 7 ଆହତ
ସୂଚନା ଅନୁଯାୟୀ, ପଙ୍କଳବାଡ଼ି ଗ୍ରାମରେ ପାରିବାରିକ କଳହରୁ ଦୁଇ ସମ୍ପର୍କୀୟ ଭାଇଙ୍କ ପରିବାର ମଧ୍ୟରେ ଲାଗି ରହିଥିଲା ବିବାଦ । ମିଥୁନ୍ ଓ ଲିପୁନ୍ କୌଣସି କାର୍ଯ୍ୟରେ କବିସୂର୍ଯ୍ୟନଗର ଯାଇ ନିଜର ମୋଟର ସାଇକେଲ ଯୋଗେ ପଙ୍କଳବାଡ଼ି ଗ୍ରାମକୁ ଫେରୁଥିଲେ । ସେହି ସମୟରେ ଉକ୍ତ ଗ୍ରାମର ଜାନକୀ ଏବଂ ତାଙ୍କ ପରିବାରର ସଦସ୍ୟମାନେ ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ସଂଘବଦ୍ଧ ଭାବେ ଆକ୍ରମଣ ଯୋଗୁଁ ଦୁଇ ଜଣ ସମ୍ପର୍କୀୟ ଜ୍ବାଇଁ ଓ ଶଳା ଗୁରୁତର ହୋଇପଡ଼ିଥିଲେ । ସେମାନଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ କବିସୂର୍ଯ୍ୟନଗର ଓ ପରେ ବ୍ରହ୍ମପୁର MKCG ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ସେପଟେ ଦୁଇ ମୃତକଙ୍କ ନାମରେ ପୂର୍ବରୁ ବିଭିନ୍ନ ମାମଲା ରହିଥିବା ବେଳେ ସେମାନଙ୍କ ନିକଟରୁ ମାଉଜର ଓ ଗୁଳି ଜବତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।