ଓଡିଶା

odisha

ETV Bharat / state

ପରିବାରକୁ ପଛ କଲେ କଲ୍ୟାଣୀ ସଙ୍ଘମିତ୍ରା, ମହାମାରୀରେ ସଭିଁଙ୍କ ସାହା ମୋହନା ତହସିଲଦାର - କଲ୍ୟାଣୀ ସଙ୍ଘମିତ୍ରା

ଅଭିଧାନରୁ ଅସମ୍ଭବ ଶବ୍ଦ ଉଠିଯିବ, ସମାଜରୁ ସଂଘର୍ଷ'ର ଚିତ୍ର ହଜିଯିବ, ଆଉ ଯାହା କେବେ ହେଇନଥିବ ସେମିତି କିଛି ଘଟିବ..ଯଦି ନାରୀଟିଏ ପଣକରି ଘରୁ ପାଦ କାଢିବ । ସମାଜରେ ନିଜର ପରିଚୟ ସୃଷ୍ଟି ହେଉ ଅବା ମହାମାରୀକୁ ମାତ ଦେବାକୁ ମହାଲଢେଇରେ ସାମିଲ...ମହିଳାଙ୍କ ଅବଦାନ ବିନା ସବୁକିଛି ଅସମ୍ଭବ ପ୍ରାୟ । ଆଉ ସେମିତି ଜଣେ ଆଗଧାଡିର ଯୋଦ୍ଧା ହେଉଛନ୍ତି ଗଜପତି ଜିଲ୍ଲା ମୋହନା ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା....

ମହାମାରୀର ସଭିଁଙ୍କ ସାହା ମୋହନା ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା
ମହାମାରୀର ସଭିଁଙ୍କ ସାହା ମୋହନା ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା

By

Published : Mar 2, 2021, 4:31 PM IST

Updated : Mar 2, 2021, 5:54 PM IST

ପାରଳାଖେମୁଣ୍ଡି: ହାରିବ କୋରୋନା, ଜିତିବ ଦେଶ । ଏହି ଲକ୍ଷ୍ୟ ହାସଲ ପାଇଁ ରାତିଦିନ ଏକ କରି ଅଦୃଶ୍ୟ ଶତ୍ରୁ ବିରୋଧରେ ସଂଗ୍ରାମ ଜାରି ରଖିଛନ୍ତି କୋଭିଡ୍ ଯୋଦ୍ଧା । ଦିନ ପରେ ଦିନ, ମାସ ପରେ ମାସ ବିତୁଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ମୂଳପୋଛ ହୋଇନି କୋଭିଡ ଡର । ଏଭଳି ବିଶେଷ ଆହ୍ବାନପୂର୍ଣ୍ଣ ସମୟରେ କୋଭିଡ ଯୋଦ୍ଧାଙ୍କ ଅବଦାନ ଅତୁଳନୀୟ ଏବଂ ଅବର୍ଣ୍ଣନୀୟ । ତେବେ ମହାମାରୀର ମହାସଂକଟ ମଧ୍ୟରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଇଟିଭି ଭାରତର ସ୍ବତନ୍ତ୍ର ଉପସ୍ଥାପନା ବୀରାଙ୍ଗନାରେ ଆଜି ଆମେ ଏଭଳି ଜଣେ ମହିଳା ପ୍ରଶାସନିକ ଅଧିକାରୀଙ୍କ ସେବାର କଥା କହିବୁ, ଯାହା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ । ଗଜପତି ଜିଲ୍ଲାର ମୋହନା ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା, ମହାମାରୀ ବିରୋଧୀ ମହାଯୁଦ୍ଧରେ ଯେଭଳି ଲଢେଇ ଜାରିରଖିଛନ୍ତି ତାହା ସେବା ପ୍ରତି ଉତ୍ସର୍ଗୀକୃତ ଭାବନାକୁ ପରିପ୍ରକାଶ କରୁଛି ।

ପରିବାରକୁ ପଛ କଲେ କଲ୍ୟାଣୀ ସଙ୍ଘମିତ୍ରା, ମହାମାରୀରେ ସଭିଁଙ୍କ ସାହା ମୋହନା ତହସିଲଦାର

କଲ୍ୟାଣୀ ସଙ୍ଘମିତ୍ରା, ଓଡିଶା ପ୍ରଶାସନିକ ସେବାର ଜଣେ ଅଧିକାରୀ । ସରକାରଙ୍କ ନିଯୁକ୍ତି ପରେ ପ୍ରଥମେ ଦାୟିତ୍ୱ ଦିଆଯାଇଥିଲା ଗଜପତି ଜିଲ୍ଲାର ମୋହନା ଭଳି ସବୁଠାରୁ ବଡ ତହସିଲର ତହସିଲଦାର ଭାବରେ । ନିଯୁକ୍ତି ପାଇବାର କିଛି ଦିନ ମଧ୍ୟରେ ସାରା ବିଶ୍ୱକୁ ମାଡି ଆସିଥିବା କୋରୋନାକୁ ମୁକାବିଲା କରିବା ପାଇଁ ଆସିଯାଇଥିଲା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା । ଯାହାକୁ ମୋହନା ଭଳି ଏକ ଦୁର୍ଗମ ପାହାଡ ବଣଘେରା ଅଞ୍ଚଳରେ କାର୍ଯ୍ୟକାରୀ କରାଇବା଼ରେ ଦିନ ରାତି ଏକ କରି ଦେଇଥିଲେ ସଙ୍ଘମିତ୍ରା । ଆଉ ସେବାକୁ ବ୍ରତ କରି ନିଜର କର୍ତ୍ତବ୍ୟ କରି ଚାଲିଥିଲେ ମହିଳା କୋରୋନା ଯୋଦ୍ଧା ଜଣଙ୍କ । କେତେବେଳେ ପାଦରେ ଚାଲି ଚାଲି ଦୁର୍ଗମ ଅଞ୍ଚଳରେ ପହଞ୍ଚି ଆବାଳ ବୃଦ୍ଧ ବନୀତା କିପରି କୋରୋନା ଠାରୁ ଦୂରେଇ ରହିପାରିବେ ସେ ନେଇ କରୁଥିଲେ ସଚେତନ ତ ଆଉ କେତେବେଳେ ନାରୀ ଶକ୍ତିକୁ ଜାଗ୍ରତ କରାଇ ସରକାରଙ୍କ କ୍ଷମତାକୁ ପ୍ରୟୋଗ କରି କୋରୋନାକୁ ମାତ ଦେବା ପାଇଁ ନେଉଥିଲେ କାର୍ଯ୍ୟାନୁଷ୍ଠାନ । କୋଭିଡ ମୁକାବିଲା କ୍ଷେତ୍ରରେ ତାଙ୍କର ଏଭଳି କାର୍ଯ୍ୟ ଦକ୍ଷତାକୁ ନେଇ ଭୂୟଶୀ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସରକାରଙ୍କ ବରିଷ୍ଠ ଅଧିକାରୀମାନେ । ହେଲେ ଏବେବି କୋରୋନାର ଭୟ ଯାଇନଥିବାରୁ ଏଥିପ୍ରତି ସମସ୍ତେ ସତର୍କ ରହିବାକୁ ଆହ୍ୱାନ ଦେଇଛନ୍ତି କୋଭିଡ ଯୋଦ୍ଧା ସଙ୍ଘମିତ୍ରା ।

ଘରେ ଏକ ମାତ୍ର ପୁଅ । ସେ ପୁଣି ଅଟିଜିମ୍ ରୋଗରେ ଆକ୍ରାନ୍ତ । କୋଭିଡ୍ ଭଳି ସମୟରେ କଥା କହିପାରୁନଥିବା ନିଜର ପୁଅକୁ ସ୍ୱାମୀଙ୍କ ପାଖରେ ଛାଡି ଯେତେବେଳେ କାହାର ଅସୁବିଧା ହେଉ ବା କୌଣସି ଏନ୍-ଫୋରର୍ସମେଣ୍ଟ ପାଇଁ ମା’ର ମମତାକୁ ପଛରେ ପକାଇ କଲ୍ୟାଣୀଙ୍କ ଦାୟିତ୍ୱକୁ ସର୍ବାଗ୍ରେ ପ୍ରତିପାଦନ କରିଥିଲେ । ଆଉ ଏହାରି ମଧ୍ୟରେ ନିଜ ହାତରେ ମାଇକ୍ ଧରି ବୁଲି ବୁଲି କରିଛନ୍ତି ଅନେକ ସଚେତନତା । ଆଉ ପ୍ରଚାର କରି କରି ଯେତେବେଳେ କୋଭିଡର ମାତ୍ରା ରାଜ୍ୟରେ ହୁ ହୁ ହୋଇ ବଢିଚାଲିଥିଲା ସେହି ସମୟରେ ନିଜ ଅଞ୍ଚଳର ଅମାନିଆଙ୍କୁ ବୁଝାଇଥିଲେ । ଆଉ ଏହି ସମୟରେ ଆଖିରୁ ତାଙ୍କର ସ୍ବତଃପ୍ରବୃତ୍ତ ଲୁହ ଆସିଯାଇଥିଲା । ଯାହର ଭିଡିଓ ପରେ ବେଶ ଭାଇରାଲ୍ ହୋଇଥିଲା ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗରେ ଶିକ୍ଷା ଶେଷ ପରେ ସାମ୍ୱାଦିକତାକୁ ଜୀବନର ବ୍ରତ ଭାବରେ କାର୍ଯ୍ୟ କରି ଆସୁଥିବା କଲ୍ୟାଣୀ ବିବାହ ପରେ ହଠାତ୍ ପରିବାରିକ କାରଣ ଯୋଗୁଁ ନେଇଥିଲେ ବିରତି । ଆଉ ଏହାରି ମଧ୍ୟରେ ନିଜର ପୁତ୍ର ସନ୍ତାନ ଜନ୍ମ ଏବଂ ପରବର୍ତ୍ତୀ ସମୟରେ ୨୦୧୧ ମସିହାରେ କଲ୍ୟାଣୀ ଓଡିଶା ପ୍ରଶାସନିକ ସେବା ପଦବୀ ପାଇଁ ପ୍ରଥମଥର ପରୀକ୍ଷା ଦେଇ ହୋଇଥିଲେ କୃତକାର୍ଯ୍ୟ । ଆଉ ଏବେ, ପିଲାଟି ଦିନରୁ ଦେଶ, ରାଜ୍ୟ ପାଇଁ କିଛି କରିବା ଲକ୍ଷ୍ୟକୁ ପୂରଣ କରିବା ପାଇଁ ଜାରି ରଖିଛନ୍ତି ନିଜର କର୍ତ୍ତବ୍ୟ । ତେବେ କୋଭିଡ ଲଢେଇରେ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଗଜପତି ଜିଲ୍ଲା ପ୍ରଶାସନର ଅନେକ ସହଯୋଗ ମିଳିଥିବା କୁହନ୍ତି ସେ । ତାହାସହ କୋରୋନା କାଳରେ ଚାଲିଥିବା ନିଜ ଟିମ୍ ୱାର୍କ ମଧ୍ୟରୁ କେତେକ ଘଟଣା ଜୀବନର ସ୍ମୃତି ହୋଇ ରହିଯିବ ବୋଲି କୁହନ୍ତି କଲ୍ୟାଣୀ ।

ତେବେ ମହାମାରୀ ବିରୋଧ ମହାଲଢେଇରେ ସମସ୍ତ ଯୋଦ୍ଧାଙ୍କ ଅବଦାନ ଅତୁଳନୀୟ । ଆଗଧାଡିର ଯୋଦ୍ଧା ହୁଅନ୍ତୁ ଅବା ପ୍ରଶାସନିକ ଅଧିକାରୀ ଭାବେ ସରକାରଙ୍କ ଗାଇଡଲାଇନକୁ ପାଳନ କରିବା ପାଇଁ ଜନସଚେତନତା ସୃଷ୍ଟି, ବାସ୍ତବରେ ମୋହନା ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରାଙ୍କ କାର୍ଯ୍ୟ ବେଶ ପ୍ରଶଂସନୀୟ । ଆଉ ଜଣେ ମହିଳା ଭାବେ ପରିବାରକୁ ପଛ କରି ସମାଜ ପାଇଁ ଆଗେଇ ଆସି କର୍ତ୍ତବ୍ୟ କରି କଲ୍ୟାଣୀ, ଆଜି ସଭିଙ୍କ ଆଗରେ ସେବାର ସାକ୍ଷାତ ଦେବୀ ହୋଇପାରିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ ଓ ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Mar 2, 2021, 5:54 PM IST

ABOUT THE AUTHOR

...view details