ଗଜପତି: ଶିଶୁ ଓ ମାତୃ ମୃତ୍ୟୁହାର ରୋକିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିବା ସହ ଏଥିପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ କରୁଛନ୍ତି । ସରକାରଙ୍କ ମମତା ଯୋଜନା ମାଧ୍ୟମରେ ଗର୍ଭବତୀ ମହିଳା ମାନଙ୍କୁ ମମତା କାର୍ଡ ପଞ୍ଜିକରଣ କରିବା ସହ ନିୟମିତ ସ୍ବାସ୍ଥ୍ୟ ଯାଞ୍ଚ, ଟିକାକରଣ ଓ ସହାୟତା ରାଶି ମଧ୍ୟ ଯୋଗାଇ ଦିଆଯାଉଛି । ତେବେ ଏହି ଯୋଜନା କେତେକ ଗ୍ରାମାଞ୍ଚଳରେ ଫେଲ ମାରିଥିବା ଅଭିଯୋଗ ହୋଇଛି। 300 ଟଙ୍କା ଲାଞ୍ଚ ନଦେଲେ ଦାୟିତ୍ବରେ ଥିବା ସ୍ବାସ୍ଥ୍ୟ କର୍ମୀ ଗର୍ଭବତୀ ମହିଳାଙ୍କୁ ମମତା କାର୍ଡ ଦେଉନଥିବା ଅଭିଯୋଗ ହୋଇଛି । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକରୁ ।
ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ମଙ୍ଗରାଜପୁର ପଞ୍ଚାୟତର ଦୁର୍ଗମ ଇଲାକାରେ ଅବସ୍ଥିତ ଜାମଢୋଲ ଗାଁ । ଗାଁ ମଧ୍ୟରେ ଚକା ଚକ୍ ହୋଇ ରହିଛି ସ୍ବାସ୍ଥ୍ୟ ଉପକେନ୍ଦ୍ର । ପାହାଡ ପର୍ବତ ଘେରରେ ରହିଥିବା ମଙ୍ଗରାଜପୁର ପଞ୍ଚାୟତ ସମେତ ଅନଘା ଓ ସୁବଲଡା ପଞ୍ଚାୟତର ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ନିଯୁକ୍ତି ପାଇଛନ୍ତି ଜଣେ ସ୍ବାସ୍ଥ୍ୟକର୍ମୀ ସୁନିତା ମଲ୍ଲିକ । ହେଲେ ସ୍ବାସ୍ଥ୍ୟକର୍ମୀ ଜଣକ 20 ବର୍ଷ ହେଲା ନିଯୁକ୍ତି ପାଇଥିଲେ ସୁଦ୍ଧା ନିୟମିତ ଆସୁନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟଲୋକେ । ଫଳରେ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଥିବା ଅଭିଯୋଗ ହୋଇଛି ।
ହିତାଧିକାରୀଙ୍କ ଅଭିଯୋଗ ଅନୁସାରେ, "ଗର୍ଭବତୀ ଓ ଶିଶୁଙ୍କ ସ୍ବାସ୍ଥ୍ୟ ଯାଞ୍ଚ ତ ଦୂରର କଥା ମମତା କାର୍ଡଟି ପଞ୍ଜିକରଣ କରିବାକୁ ହେଲେ 3ଶହ ଟଙ୍କା ଲାଞ୍ଚ ମାଗୁଛନ୍ତି । ଏପରିକି ଏନେକ ହିତାଧିକାରୀ ଟଙ୍କା ନଦେବାରୁ ମମତା କାର୍ଡ 3 ଶହ ଟଙ୍କା ପାଇଁ ବନ୍ଧକ ରଖୁଛନ୍ତି । ଆଶାକର୍ମୀ ମାନଙ୍କୁ ମଧ୍ୟ ଡରାଉଛନ୍ତି । ଏନେଇ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ।"