ପାରଳାଖେମୁଣ୍ଡି:ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କୋର୍ଟରେ ହାଜର ହେଉନାହାନ୍ତି ଅଭିଯୁକ୍ତ। ଯାହାକୁ ନେଇ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟ 3ଜଣ ଯାକ ଅଭିଯୁକ୍ତଙ୍କ ବିରୁଦ୍ଧରେ ଜାମିନବିହୀନ ୱାରେଣ୍ଟ ଜାରି କରିଛନ୍ତି । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରାଧରେ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ଅଭିଯୋଗ ରହିଥିଲା। ଏହାର ବିଚାର ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ବାରମ୍ବାର କୋର୍ଟଙ୍କ ସମନ ପରେ ମଧ୍ୟ ଅଭିଯୁକ୍ତମାନେ କୋର୍ଟରେ ହାଜର ହେଉନଥିବା ଜଣାପଡିଛି। ଆସନ୍ତା 7 ତାରିଖରେ ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଇବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି।
କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରୁଥିବାବେଳେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କୁ ଦୋଷୀ କହିବା ସହ ଅନ୍ୟ 2 ଜଣ ଅଭିଯୁକ୍ତଙ୍କୁ କ୍ଳିନ୍ ଚିଟ୍ ଦେଇଥିଲା । ତେବେ ଏହାର ପ୍ରତିବାଦରେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର କୋର୍ଟଙ୍କ ଦ୍ବାରସ୍ଥ ହୋଇ ଏହି ମାମଲାର ବିଚାର ପାଇଁ ଆବେଦନ କରିଥିଲେ । ଅଭିରାମଙ୍କ ଆବେଦନକୁ ଗ୍ରହଣ କରି ପାରଳାଖେମୁଣ୍ଡି ଏସଡିଜେଏମଙ୍କ ଅଦାଲତରେ ମାମଲା ବିଚାରଧୀନ ରହିଛି।ତେବେ ଏହି ମାମଲାର 3 ଅଭିଯୁକ୍ତ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ ହାଜର ପାଇଁ କୋର୍ଟ ଗତ ମେ 16, ମେ 27, ଜୁନ 19 ଏବଂ ଜୁନ 23 ତାରିଖରେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେମାନେ ହାଜର ହେଉନାହାନ୍ତି। ବିଚାର ପ୍ରକ୍ରିୟାରେ ସହଯୋଗ କରିବା ବଦଳରେ ବିଭିନ୍ନ ଆଳରେ ସମୟ ମାଗି ଚାଲିଛନ୍ତି ଅଭିଯୁକ୍ତ । ଯାହାକୁ ନେଇ ପାରଳାଖେମୁଣ୍ଡି ଏସଡିଜେଏମ କୋର୍ଟ ନାପସନ୍ଦ କରିବା ସହ ଜାମିନବିହୀନ ଗିରଫ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ମାମଲା ବିଚାରାଧୀନ ଥିବାରୁ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ଅଭିରାମଙ୍କ ଓକିଲ ମନା କରିଦେଇଥିବାବେଳେ 3ଜଣ ଅଭିଯୁକ୍ତ କିମ୍ବା ତାଙ୍କ ଓକିଲଙ୍କ ମତାମତ ମିଳିପାରିନାହିଁ ।
୨୦୨୧ ଜୁଲାଇ 16 ତାରିଖରେ ଏସିଏଫ ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ ଘଟିଥିଲା । ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏହି ମାମଲାରେ ସାମିଲ ଥିବା ନେଇ ସୌମ୍ୟଙ୍କ ପରିବାରଲୋକେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଡିଏଫଓଙ୍କ ସହ ରୋଷେୟା ମନ୍ମଥ କୁମ୍ଭଙ୍କୁ ୩ ଥର ଜେରା କରିଥିଲା । ଖାଲି ସେତିକି ନୁହେଁ, ସୌମ୍ୟଙ୍କ ଗାଁ ବାଲେଶ୍ବର ଜିଲ୍ଲା ଖଇରାକୁ ଯାଇ ତାଙ୍କ ବାପା, ମାଆ ଏବଂ ସମ୍ପର୍କୀୟଙ୍କୁ ମଧ୍ୟ ପଚରାଉଚରା କରିଥିଲା ତଦନ୍ତକାରୀ ଟିମ୍ ।