ଗଜପତି: ଚଳିତ ନିର୍ବାଚନର ଭୋଟ ଗଣତି ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚଳିତ ଥର ପାରଳାଖେମୁଣ୍ଡି ସହର ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟ ପରିବର୍ତ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସନ୍ତା 23 ତାରିଖରେ ଭୋଟ ଗଣତି କରାଯିବ । ଏହାକୁ ନେଇ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ଜିଲ୍ଲାର ମୋହନା ଓ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ପାଇଁ ଏଥର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଭୋଟ ଗଣତି ପାଇଁ 120 ଜଣ ଅଧିକାରୀଙ୍କ ଆବଶ୍ୟକତା ଥିବା ବେଳେ ଅଧିକ 120 ଜଣକୁ ସଂରକ୍ଷିତ ରଖାଯାଇଛି । ଏଭଳି 240 ଜଣକୁ ନିୟୋଜିତ କରାଯାଇଥିବା ବେଳେ ଆନୁସଙ୍ଗିକ କାମ ପାଇଁ 100 ଜଣକୁ ନିୟୋଜିତ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜିଲ୍ଲାରେ ଥିବା 2ଟି ନିର୍ବାଚନ ମଣ୍ଡଳୀ ପାଇଁ 2ଟି ହଲରେ ଭୋଟ ଗଣତି କରାଯିବ । ବିଧାନସଭା ଏବଂ ଲୋକସଭା ପାଇଁ ପ୍ରତି ରାଉଣ୍ଡରେ 10ଟି ଟେବୁଲରେ ଗଣତି ହେବ ବୋଲି ସେ କହିଛନ୍ତି । ସେହିଭଳି ସାଧାରଣ ଲୋକଙ୍କୁ ଗଣତି ସଂପର୍କରେ ସୂଚନା ଦେବା ପାଇଁ ସୂଚନା କେନ୍ଦ୍ର ଖୋଲାଯିବା ସହ ଏକ ମେଡିକାଲ ଟିମ ଉପସ୍ଥିତ ରହି ଜରୁରୀକାଳୀନ ସମସ୍ୟାର ସମାଧାନ କରିବେ ବୋଲି ଜିଲ୍ଲାପାଳ ଅନୁପମ ଶାହା କହିଛନ୍ତି ।