ଗଜପତି: ତିତିଲି ବାତ୍ୟାକୁ 3ବର୍ଷରୁ ଅଧିକ ସମୟ ବିତିଲାଣି । ହେଲେ ତାର କ୍ଷତ ଏବେ ସୁଦ୍ଧା ଶୁଖିନାହିଁ । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଅନେକ ଅଞ୍ଚଳରେ ଲୋକ ନାହିଁ ନଥିବା ଅସୁବାଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଗଙ୍ଗାବାଡ ପଞ୍ଚାୟତର ବଡପାଚିଡିଆ ଗାଁରେ । ଗତ 2018 ମସିହା ଅକ୍ଟୋବର 10 ତାରିଖରେ ସାମୁଦ୍ରିକ ଝଡ ତିତିଲି ତାର ତାଣ୍ଡବ ରଚିଥିଲା । ଏହାର ପ୍ରଭାବରେ ଗଜପତି ଜିଲ୍ଲା ରାୟଗଡ ବ୍ଲକର ଗଙ୍ଗାବାଡ ପଞ୍ଚାୟତ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ତିତିଲି ପରେ ଏହି ଅଞ୍ଚଳକୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବଡ ବଡ ନେତାଙ୍କୁ ସୁଅ ଛୁଟିଛି । ହେଲେ ଏ ଯାଏଁ ସେମାନଙ୍କ ସମସ୍ୟାର ସମାଧାନ ହୋଇନାହିଁ ବାତ୍ୟାକୁ 3ବର୍ଷରୁ ଅଧିକ ସମୟ ବିତିସାରିଥିଲେ ମଧ୍ୟ ଏହି ଅଞ୍ଚଳର ସ୍ଥିତିରେ କୌଣସି ଉନ୍ନତି ଆସିପାରିନାହିଁ । ଭଲ ରାସ୍ତାଟିଏ ନଥିବାରୁ ବର୍ଷାରେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବର୍ଷା ଦିନେ ଲୋକେ ଏକ ପ୍ରକାର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହୁଛନ୍ତି ।
ବାତ୍ୟାରେ ମାଟି ଅତଡା ଖସି ଧୋଇଯାଇଥିବା ରାସ୍ତାର ମରାମତି ମଧ୍ୟ ହୋଇପାରିନାହିଁ । କେବଳ ମାଟି ପକାଇ କାମ ସାରି ଦିଆଯାଇଛି । ଫଳରେ ଅସରାଏ ବର୍ଷାରେ ଲୋକେ ଯାତାୟତ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗଙ୍ଗାବାଡ ଠାରୁ ବଡପାଚିଡିଆ ପ୍ରାୟ 6କିମି ଦୂର । ଗଙ୍ଗାବାଡ ଠାରୁ 1କିମି ପରେ ବାତ୍ୟାରେ ମାଟି ଅତଡା ଧସିବା ଯୋଗୁଁ ଖାଇଯାଇଥିବା ରାସ୍ତା ବର୍ତ୍ତମାନ ଯାଏଁ ମରାମତି ହେଇନାହିଁ । ଫଳରେ ବର୍ଷା ଦିନେ ଏହି ଗାଁର ଲୋକେ ବାହ୍ୟଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇ ରହୁଛନ୍ତି । ଏପରିକି ଟଙ୍କିକିଆ ଚାଉଳ କିମ୍ବା ଭତ୍ତା ପାଇଁ ବି ପଞ୍ଚାୟତକୁ ଆସିପାରୁନାହାନ୍ତି । ତେଣୁ ଏହିଠାରେ ଏକ ବ୍ରିଜ୍ ନିର୍ମାଣ କରିବା ପାଇଁ ଗାଁର ଲୋକେ ଦାବି କରିଛନ୍ତି ।