ଗଜପତି: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପାଣି ମୁନ୍ଦାଏ ପାଇଁ ଚାରିଆଡେ ହାହାକାର ଦେଖିବାକୁ ମିଳୁଛି । କୋଟି କୋଟି ବ୍ୟୟ ଅଟକଳରେ କାର୍ଯ୍ୟକାରୀ ହେଉଛି ମାଳମାଳ ଯୋଜନା । ମାତ୍ର ଖରାଦିନେ ପାଣିଟୋପେ ପାଇଁ ଡହଳବିକଳ ହେଉଛନ୍ତି ଲୋକେ । ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତରଭା ପଞ୍ଚାୟତର ଆଶ୍ରୟଗଡ ଗ୍ରାମରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ ପ୍ରଶାସନ ପାଖରୁ ଦୁଇ ଦୁଇଟି ପାଣି ଟାଙ୍କି ବସିଛି । ବିଡ଼ମ୍ବନାର ବିଷୟ ସେଥିରେ ପାଣି ଆସୁନାହିଁ । ଠିକାଦାର ଏବଂ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା କାର୍ଯ୍ୟ ଯୋଗୁଁ ସରକାରୀ ଯୋଜନା ଅକାମୀ ହୋଇପଡ଼ିଛି ।
ଆଶ୍ରୟଗଡ ଗ୍ରାମରେ 5ଶହ ଲୋକ ବାସବାସ କରନ୍ତି । ହେଲେ ଗ୍ରାମବାସୀଙ୍କ ପାଣିର ସମସ୍ୟା କହିଲେ ନସରେ । ଏଠାରେ ପ୍ରଶାସନ ତରଫରୁ 2ଟି ପାଣି ଟାଙ୍କି ଆଗରୁ ବସାଯାଇଥିଲା । ହେଲେ ଦୁର୍ଭାଗ୍ୟର କଥା 2ଟି ଯାକ ପାଣି ଟାଙ୍କିରୁ ବର୍ତ୍ତମାନ ପାଣି ଆସୁନାହିଁ । ପାଣି ସମସ୍ୟା ଦୂର ପାଇଁ ଲକ୍ଷାଧିକ ସରକାରୀ ଟଙ୍କା ଖର୍ଚ୍ଚ ହେବା ପରେ ମଧ୍ୟ ସ୍ଥିତିରେ ସୁଧର ଆସିପାରି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ଏବଂ ଅଳ୍ପଖର୍ଚ୍ଚରେ ଠିକାଦାର ଓ ଯନ୍ତ୍ରୀଙ୍କ ମନମତାଣିଆ କାର୍ଯ୍ୟ ଯୋଗୁଁ ଏଭଳି ସମସ୍ୟା ଉପୁଜିଥିବା ଅଭିଯୋଗ କରିଛନ୍ତି । ସେପଟେ ଖରାଦିନରେ କୂଅ ପାଣି ଶୁଖିଯିବାରୁ ପାଣି ପାଇବା ଲୋକଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡେ । ୫୦୦ ଲୋକଙ୍କ ପାଇଁ କେବଳ ଦୁଇଟି ନଳକୂପ ଥିବାବେଳେ ତାହା ଯଥେଷ୍ଟ ହୋଇପାରୁନାହିଁ । ଅଚଳ ନଳକୂପରୁ ମୋଟର ସଂଯୋଗ କରି ଟାଙ୍କି ମାଧ୍ୟମରେ ଲୋକଙ୍କୁ ପାନୀୟଜଳ ଯୋଗାଇବାକୁ ବ୍ଲକ ପକ୍ଷରୁ ଯୋଜନା କରାଯାଇଥିଲା । ହେଲେ 2ଟି ପାଣି ଟାଙ୍କି ମଧ୍ୟରୁ ଅଳିଆ ଆବର୍ଜନା ଜାଗାରେ ରାସ୍ତା କଡରେ ବସାଯାଇଥିବା ବେଳେ ଆଉ ଗୋଟିଏ ଜଣକ ଘର ବାରିପଟେ ବସାଯାଇଛି । ଫଳରେ ଲୋକଙ୍କୁ ପାଣି ଟୋପାଏ ମିଳିବା କଷ୍ଟକର ହୋଇପଡୁଛି । ଏନେଇ ଗ୍ରାମବାସୀ ବାରମ୍ବାର ପ୍ରଶାସନ ପାଖକୁ ଦୌଡ଼ିଥିଲେ । ମାତ୍ର ଆଜି ଯାଏ କୌଣସି ସୁଫଳ ମିଳିପାରିନାହିଁ । ସରକାରୀ ଟଙ୍କା ଖର୍ଚ୍ଚ ହେବା ପରେ ମଧ୍ୟ ଲୋକଙ୍କ ଅସୁବିଧା ଦୂର ହୋଇପାରୁନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆଶ୍ରୟଗଡ଼ବାସୀ ।