ଗଜପତି: କିନ୍ନରମାନଙ୍କୁ ଥଇଥାନ କରିବା ପାଇଁ ଖୋଲିଥିବା ଓମ୍ଫେଡ ପାର୍ଲରରେ ଜଳଖିଆ ଏବଂ ଫଳରସ ବିକ୍ରି ଆରମ୍ଭ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ଗଜପତି ଏସପି ସାରା ଶର୍ମା । ସ୍ଥାନୀୟ ହସ୍ପିଟାଲ ପରିସରରେ ଥିବା ଏହି କେନ୍ଦ୍ରରେ ଜଳଖିଆ ଏବଂ ଫଳରସ ବିକ୍ରି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ମଙ୍ଗଳବାର ଉଦଘାଟନ କରିଛନ୍ତି । ଏହାଦ୍ଵାରା କିନ୍ନରମାନେ ଅଧିକ ରୋଜଗାରକ୍ଷମ ହେବା ସହ ମୁଖ୍ୟସ୍ରୋତକୁ ଫେରିପାରିବେ ବୋଲି ଏସପି କହିଥିବା ବେଳେ କିନ୍ନରମାନେ ମଧ୍ୟ ରୋଜଗାର ପନ୍ଥା ମିଳିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ।
ସାଧରଣତଃ କିନ୍ନର ମାନଙ୍କୁ ସମାଜ ଭିନ୍ନ ଦୃଷ୍ଟିରେ ଦେଖି ଆସିଛି । ଏପରିକି ସେମାନଙ୍କ ପରିବାର ଲୋକେ ମଧ୍ୟ ସେମାନଙ୍କୁ ନିଜ ଠାରୁ ଦୂରେଇ ଦେବାକୁ ପଛାଉନାହାଁନ୍ତି । ଏଭଳି ସ୍ଥିତିରେ ନିଜର ଜୀବନ ଜୀବିକା ସଂଗ୍ରହ ପାଇଁ କିନ୍ନରମାନେ ବିଭିନ୍ନ ସ୍ଥାନରେ ଭିକ୍ଷାବୃତ୍ତି ଭଳି କୁତ୍ସିତ କାର୍ଯ୍ୟ କରିବାକୁ ବାଧ୍ୟ ହୋଇଥାନ୍ତି । କାରଣ ସେମାନଙ୍କୁ କୌଣସି ସ୍ଥାନରେ କର୍ମସଂସ୍ଥାନ ମିଳେ ନାହିଁ । ସେହି ସମାନ ଅବସ୍ଥାରେ ଥିଲେ ପାରଳାଖେମୁଣ୍ଡିର କିନ୍ନର ମାନେ । ଏହାକୁ ଦେଖିବା ପରେ ଗଜପତି ଏସପି ସାରା ଶର୍ମା ଏମାନଙ୍କ ପାଇଁ କର୍ମ ନିୟୋଜନର ବ୍ୟବସ୍ଥା କରିବାକୁ ଚିନ୍ତା କରିବା ସହ ସେମାନଙ୍କ ପାଇଁ ସ୍ଥାନୀୟ ହସ୍ପିଟାଲ ପରିସରରେ ଏକ ଓମଫେଡ ପାର୍ଲର 'ସୁରଭି' ନିର୍ମାଣ କରିଥିଲେ ।
ଗତ 25ତାରିଖରେ ଆରମ୍ଭ ହୋଇଥିବା ଏହି କେନ୍ଦ୍ରରେ କିନ୍ନରମାନେ କ୍ଷୀର ଏବଂ ଚା' ବିକ୍ରି କରୁଥିଲେ । ହେଲେ ଏହାକୁ ଆହୁରି ବ୍ୟାପକ କରିବା ପାଇଁ ଏସପି କିଛି ଲୋକଙ୍କ ସହାୟତାରେ ସେମାନଙ୍କ ପାଇଁ ଜଳଖିଆ ଏବଂ ଫଳରସ ପ୍ରସ୍ତୁତି ସାମଗ୍ରୀ ଯୋଗାଡ କରିବା ସହ ମଙ୍ଗଳବାର ଠାରୁ ଏହାକୁ ଆରମ୍ଭ କରାଇଛନ୍ତି । ଏନେଇ ଏସପି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୂର୍ବରୁ କିନ୍ନରମାନଙ୍କ ସଂପର୍କରେ ତାଙ୍କର ଭିନ୍ନ ମତ ରହିଥିଲା । ହେଲେ ସେମାନଙ୍କ ସଂପର୍କରେ ଅଧିକ ପଢାପଢି କରିବା ବେଳେ ସେମାନଙ୍କ ପାଇଁ କିଛି କରି ସମାଜର ମୁଖ୍ୟ ସ୍ରୋତରେ ସେମାନଙ୍କୁ ସାମିଲ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ ।