ପାରଳାଖେମୁଣ୍ଡି: ବାରମ୍ବାର ଦାବି ପରେ ବି ଶୁଣିଲାନି ପ୍ରଶାସନ । ତିତିଲି ବାତ୍ୟାରେ କ୍ଷତିଗ୍ରସ୍ତ ରାସ୍ତାର ମରାମତି କଲେ ପଞ୍ଚାୟତବାସୀ । ସୀମାନ୍ତବର୍ତ୍ତୀ ଗଙ୍ଗାବାଡ ଅଞ୍ଚଳରୁ ଆସିଛି ଏମିତି ଏକ ଚିତ୍ର । ଗତ 2018 ମସିହାରେ ହୋଇଥିବା ତିତିଲି ବାତ୍ୟାରେ ଏହି ପଞ୍ଚାୟତ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ରାସ୍ତାର ମରାମତି ପାଇଁ ବାରମ୍ବାର ଦାବି ପରେ ମଧ୍ୟ ପ୍ରଶାସନ ଏହି ରାସ୍ତା ମରାମତି କରିନଥିଲା । ତେଣୁ ବାଧ୍ୟ ହୋଇ ଅଞ୍ଚଳବାସୀ ମରାମତି କରିଛନ୍ତି । ହେଲେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାସ୍ତା କାମ ସମ୍ପୂର୍ଣ୍ଣ ନହେଲେ ଭୋଟ ବର୍ଜନ କରାଯିବ ବୋଲି କହିଛନ୍ତି ପଞ୍ଚାୟତବାସୀ ।
ଗଜପତି ଜିଲ୍ଲା ରାସଗଡ ବ୍ଲକର ଗଙ୍ଗାବାଡ ପଞ୍ଚାୟତ । ଆନ୍ଧ୍ର ସୀମାନ୍ତରେ ଥିବା ଏହି ପଞ୍ଚାୟତରେ ଆନ୍ଧ୍ର ଅନୁପ୍ରବେଶ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରି ଲୋକଙ୍କୁ ନିଜ ଆଡକୁ ନେବା ପାଇଁ ଉଦ୍ୟମ ଜାରି ରଖିଛି । ଏପରିକି ଆନ୍ଧ୍ର ସରକାରଙ୍କ ଜନକଲ୍ୟାଣ ଯୋଜନାରେ ଏହି ଅଞ୍ଚଳର କିଛି ଲୋକଙ୍କୁ ସାମିଲ ମଧ୍ୟ କରିଛନ୍ତି । ପ୍ରତ୍ୟେକ ଥର କିନ୍ତୁ ସବୁ ପ୍ରକାର ମୌଳିକ ସୁବିଧା ଓଡ଼ିଶା ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି ଡିଣ୍ଡିମ ପିଟୁଛନ୍ତି ସରକାର । କିନ୍ତୁ ଏହି ରାସ୍ତାକାମ ନ ହେବା ହିଁ ପ୍ରକୃତ କଥାକୁ ବୟାନ କରୁଛି । ଗଙ୍ଗାବାଡରୁ କଇଁପୁର ରାସ୍ତା ନିର୍ମାଣ ହେଲେ ରାୟଗଡ ବ୍ଲକକୁ ଓଡିଶା ରାସ୍ତାରେ ସଂଯୋଗ ହୋଇପାରିବ ବୋଲି ବହୁ ଦାବି ପରେ ଏହି ରାସ୍ତାକାମ ଆରମ୍ଭ ହୋଇଥିଲା । ହେଲେ କାମ ଅଧାରେ ରହିଥିବାବେଳେ 2018 ମସିହାରେ ତିତିଲି ବାତ୍ୟା ଯୋଗୁଁ ନଷ୍ଟ ହୋଇଯାଇଥିଲା । ଇତି ମଧ୍ୟରେ 3ବର୍ଷ ବିତିସାରିଛି । ଏହି ରାସ୍ତାର ମରାମତି ପାଇଁ ସ୍ଥାନୀଯ ଅଞ୍ଚଳବାସୀ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନାହିଁ । ବ୍ଲକ ମୁଖ୍ୟାଳୟକୁ ଯିବା ପାଇଁ ଗଙ୍ଗାବାଡ ପଞ୍ଚାୟତର ଗଙ୍ଗାବାଡ଼,ଲୋବା,ଶଗଡିଆ,ବଡ଼ ପାଚିଡିଆ,ଛାମୁଡ଼ିଆ,ସାନ ଦେଉଳା,ବଡ଼ ଦେଉଳା ସମେତ କଇଁପୁର ପଞ୍ଚାୟତର ଚିତ୍ରାଙ୍ଗ ଓ ତେରବ ଆଦି ଗ୍ରାମର ଲୋକେ ଏହି ରାସ୍ତା ଉପରେ ନିର୍ଭରଶୀଳ । ତେଣୁ ଏହି ଅଞ୍ଚଳର ଲୋକେ ଏହାକୁ ମରାମତି କରିଛନ୍ତି । ତେବେ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାସ୍ତା କାମ ସମ୍ପୂର୍ଣ୍ଣ ନହେଲେ ଭୋଟ ବର୍ଜନ ନିଷ୍ପତ୍ତି ନେଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।