ପାରଳାଖେମୁଣ୍ଡି:ସମସ୍ୟା ଘେରରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଲାଇଲାଇ ଗାଁ । ହଜାରରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ବିକାଶ ଅପହଞ୍ଚ । ଏହି ଗାଁକୁ ଯିବାକୁ ହେଲେ PMGSY ରାସ୍ତାରୁ ପ୍ରାୟ ୨ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ହୁଏ । ଏହି ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲେ ମଧ୍ୟ ନିର୍ମାଣ କାମ ହୋଇପାରୁନାହିଁ । ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଏହି ୨ କିଲୋମିଟର ରାସ୍ତା ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲେ ବି ତାହା ପାଣିର ଗାର ସାଜିଛି । ଫଳରେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଯେଉଁ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ଯେତେ ସୁଦୃଢ଼ ସେହି ଅଞ୍ଚଳର ସାମାଜିକ ଓ ଆର୍ଥିକ ସ୍ଥିତି ସେତେ ଉନ୍ନତ । ଏହାକୁ ଉପଲବ୍ଧି କରି ସରକାର ଦୁର୍ଗମ ଅଞ୍ଚଳର ଯାତାୟତ ବ୍ୟବସ୍ଥାରେ ଉନ୍ନତି ପାଇଁ ଯୋଜନା ପରେ ଯୋଜନା କରିବା ସହ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଅନେକ ଅଞ୍ଚଳକୁ ଏଯାଏଁ ଭଲ ରାସ୍ତା ଖଣ୍ଡିଏ ନିର୍ମାଣ ହୋଇପାରିନାହିଁ । ଏହାସହ ନେଟୱାର୍କର ସମସ୍ୟା ଲୋକଙ୍କୁ ଆହୁରି ଅସୁବିଧାରେ ପକାଇଛି । ଏଠାକାର ଲୋକେ ଏହି ସମସ୍ୟାର ପାଇଁ ବାରମ୍ବାର ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି ।
ଏହା ବି ପଢନ୍ତୁ...କେଉଁଠି ବିକାଶ: ଆଦର୍ଶ ଗାଁରେ ନାହିଁ ରାସ୍ତା, ଚୌକିରେ ବୁହା ହେଲେ ପ୍ରସୂତି