ଗଜପତି: ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ପରବର୍ତ୍ତୀ ସମୟରେ ଉପାନ୍ତ ଅଞ୍ଚଳରେ ଭାଷାକୁ ନେଇ ବିପଦ ସୃଷ୍ଟି ହୋଇଥିବାବେଳେ ଏହାର ସୁରକ୍ଷା ପାଇଁ ନିର୍ମାଣ ହୋଇଥିଲା ଭକ୍ତକବି ଗୋପାଳକୃଷ୍ଣ ପାଠାଗାର । ଭାଷା ସୁରକ୍ଷାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଏହି ଐତିହାସିକ ସ୍ଥାନଟି ଦୀର୍ଘଦିନ ହେଲା ପରିତ୍ୟକ୍ତ ହୋଇ ପଡିରହିଥିଲା । ଏହାର ପୁନଃଉଦ୍ଧାର ପାଇଁ 2016 ମସିହାରେ ଯୋଜନା ପ୍ରସ୍ତୁତ କରିଥିଲା ପାରଳାଖେମୁଣ୍ଡି ପୌରପରିଷଦ । ବର୍ତ୍ତମାନ ଏହା ଲୋକାର୍ପିତ ହୋଇଛି । ଏଠାରେ ସବୁ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ରହିଛି । ତେଣୁ ଏହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ସାଧାରଣ ଲୋକେ ସନ୍ତୋଷ ପ୍ରକାଶ କରିବା ସହ ପୌରପରିଷଦର କାର୍ଯ୍ୟକୁ ପ୍ରସଂଶା କରିଛନ୍ତି ।
1936 ମସିହାରେ ଭାଷା ଭିତ୍ତିରେ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ହୋଇଥିଲା । ଏହାର ମୁଖ୍ୟ ନାୟକ ଥିଲେ ପାରଳାଖେମୁଣ୍ଡି ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେବ । ଓଡିଆଙ୍କ ପାଇଁ ସେ ନିଜର ଦୁଇ ତୃତୀୟାଂଶ ରାଜ୍ୟକୁ ମଧ୍ୟ ଛାଡିବାକୁ ପଛାଇନଥିଲେ । ପରବର୍ତ୍ତୀ ସମୟରେ ଏହା ଆନ୍ଧ୍ରରେ ରହିଛି । ଆନ୍ଧ୍ରପ୍ରଦେଶ ଗଠନ ପରବର୍ତ୍ତୀ ସମୟରେ ଉପାନ୍ତ ଅଞ୍ଚଳରେ ଅଣଓଡିଆ ଭାଷାଭାଷୀର ଲୋକଙ୍କ ପାଇଁ ଓଡିଆ ଭାଷା ପ୍ରତି ବିପଦ ସୃଷ୍ଟି ହୋଇଥିଲା । ଏହାର ସୁରକ୍ଷା ପାଇଁ ଅନେକ ଲୋକ ପ୍ରୟାସ କରିଥିବାବେଳେ ଭକ୍ତକବି ଗୋପାଳକୃଷ୍ଣ ପଟ୍ଟନାୟକ ନିର୍ମାଣ କରିଥିଲେ ଏକ ପାଠାଗାର ।