ଗଜପତି: ଜିଲ୍ଲାରେ ଦିନକୁ ଦିନ କରୋନା ସ୍ଥିତି ବିଗିଡିବାରେ ଲାଗିଛି । ପ୍ରତିଦିନ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ସେମାନଙ୍କୁ 1 କେଭିଡ୍ କେୟାର ସେଣ୍ଟରରେ ରଖାଯାଉଛି । କାହାର ସ୍ଵାସ୍ଥ୍ୟବସ୍ଥା ବିଗିଡିଲେ ସେମାନଙ୍କୁ ଜିଲ୍ଲା କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଛି । ବର୍ତମାନ କୋଭିଡ୍ ହସ୍ପିଟାଲରେ କୌଣସି ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତ କରାନଯାଇ ଡାକ୍ତରୀ ଛାତ୍ରମାନଙ୍କୁ ନିଯୁକ୍ତ କରାଯାଇଛି । ଯାହା ଫଳରେ ରୋଗୀମାନେ ଉଚିତ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଏଭଳି ସ୍ଥିତି ହେଉଥିବା ବୁଧବାର ଜିଲ୍ଲା ବିଜେପି କାର୍ଯ୍ୟାଳୟ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସାଧାରଣ ସଂପାଦକ ନୃସିଂହ ଚରଣ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।
ବର୍ତମାନ ପାରଳାଖେମୁଣ୍ଡି ସହରରେ ତାପମାତ୍ରା ବୃଦ୍ଧି ପାଇଛି । ଅସହ୍ୟ ଗରମ ଅନୁଭୂତ ହେଉଛି । ସେପଟେ ଲକଡାଉନ୍ ଏବଂ ସଟଡାଉନ୍ ଜାରି ରହିଥିବାରୁ ଲୋକେ ଘର ମଧ୍ୟରେ ରହୁଛନ୍ତି । ତେବେ ଏହି ସମୟରେ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି । ତେଣୁ ପ୍ରଶାସନ ଏହା ଉପରେ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ଏହି ସ୍ଥିତିରେ ସୁଧାର ନଆସିଲେ ବିଜେପି ନିଶ୍ଚିତ ଭାବେ ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି ।