ଗଜପତି:ପାରଳାଖେମୁଣ୍ଡି ଜବାହାର ନବୋଦୟ ବିଦ୍ୟାଳୟରେ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ । ମୃତ ଛାତ୍ରୀ ସୌଦାମୀନି ରଇତ ନବମ ଶ୍ରେଣୀରେ ପାଠ ପଢୁଥିଲେ । ସୌଦାମିନୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ତାଙ୍କ ବେକରେ ଓ ମୁହଁରେ କ୍ଷତ ଚିହ୍ନ ରହିଛି । ଯାହାକୁ ନେଇ ତାଙ୍କ ବାପାଙ୍କର ସନ୍ଦେହ ହେବାରୁ ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରତିଦିନ ଭଳି ଆଜି ସକାଳ 5ଟା ସମୟରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ବ୍ୟାୟାମ କରିବାକୁ ଯାଇଥିଲେ । କିନ୍ତୁ ସୌଦାମିନୀ ଯାଇନଥିବାରୁ ସାଥି ମାନେ ତାଙ୍କୁ ଖୋଜା ଖୋଜି କରିବା ପରେ ହଷ୍ଟେଲ କୋଠାର ସିଡି ନିକଟରେ ଝୁଲନ୍ତା ଅବସ୍ଥାରେ ପିଲାମାନେ ତାଙ୍କୁ ଦେଖିଥିଲେ । ଏନେଇ ଖବର ପାଇବା ପରେ ସ୍କୁଲ କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରୀ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ଛାତ୍ରୀ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ।
ତାଙ୍କ ସହପାଠୀଙ୍କ କହିବା ଅନୁଯାୟୀ, ରବିବାର ସ୍କୁଲ ଛୁଟି ଥିବାରୁ ସମସ୍ତ ପିଲା ହଷ୍ଟେଲରେ ହିଁ ରହିଥିଲେ । ପରୀକ୍ଷା ପାଖେଇ ଆସିଥିବାରୁ ସାଙ୍ଗମାନଙ୍କ ସହ ଦିନତମାମ ପଢାପଢି କରିବା କଥା ହୋଇଥିଲା ସୌଦାମିନୀ । ଗତକାଲି ସେ କୌଣସି ଚିନ୍ତାରେ ଥିବା ଭଳି ମନେ ହେଉଥିଲା । ଏପରିକି ସେ ଦିନ ତମାମ କିଛି ଖାଇନଥିଲେ ମଧ୍ୟ । ରାତିରେ ସମସ୍ତେ ଶୋଇବାକୁ ଯିବା ବେଳେ ସେ ବିଦ୍ୟାଳୟର 7ମ ଶ୍ରେଣୀର ଛାତ୍ରୀ ପ୍ରଜ୍ଞାଙ୍କ ସହ ଦେଖା କରିବାକୁ ଯାଇଥିଲା । ସେଠାରେ କିଛି ସମୟ କଥା ହେବା ପରେ ନିଦ ଲାଗୁନାହିଁ, ମୁଁ ମୋ ବେଡକୁ ଯାଉଛି ବୋଲି କହିଥିଲେ ମୃତ ଛାତ୍ରୀ ଜଣଙ୍କ ।