ଓଡିଶା

odisha

ETV Bharat / state

ମାଟ୍ରିକ ରେଜଲ୍ଟ ହେବ ସୁପର, ଗଜପତିରେ ସୁପର-30 ମିଶନ - gajapati super-30 mission

ଗଜପତି ଜିଲ୍ଲାରେ ମାଟ୍ରିକ ପରୀକ୍ଷା ଭଲ କରିବାକୁ ଆରମ୍ଭ ହୋଇଛି ସୁପର-30 । ଜିଲ୍ଲାର ବଛାବଛା 30 ଛାତ୍ରଛାତ୍ରୀଙ୍କୁ ନେଇ ପରୀକ୍ଷା ପାଇଁ କରାଯାଉଛି ପ୍ରସ୍ତୁତ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

SUPER 30
ଗଜପତି ଜିଲ୍ଲାରେ ସୁପର-30 ମିଶନ

By

Published : Jan 7, 2020, 8:40 PM IST

Updated : Jan 7, 2020, 11:14 PM IST


ଗଜପତି: ମାଟ୍ରିକ ରେଜଲ୍ଟ ହେବ ସୁପର । ସରକାରୀ ସ୍କୁଲର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷାରେ କରିବେ କମାଲ । ଏଥିପାଇଁ ଭିନ୍ନ ଏକ ପ୍ରୟାସ ଆରମ୍ଭ କରିଛି ଗଜପତି ପ୍ରଶାସନ । ମାଟ୍ରିକରେ ପଢୁଥିବା ବଛାବଛା 30ଜଣ ପିଲାଙ୍କୁ ନେଇ ଜିଲ୍ଲାପ୍ରଶାସନ ଆରମ୍ଭ କରିଛି ସୁପର-30 ମିଶନ । ଯାହାକୁ ଜିଲ୍ଲାପାଳ ଅନୁପମ ସାହା ଉଦଘାଟନ କରିଛନ୍ତି ।

ମାଟ୍ରିକ ରେଜଲ୍ଟ ହେବ ସୁପର, ଗଜପତିରେ ସୁପର-30 ମିଶନ

କଣ ଏହି ସୁପର-30 ମିଶନ ?

ଗତ କିଛି ବର୍ଷ ଧରି ମାଟ୍ରିକ ଫଳାଫଳ ନିରାଶଜନକ ରହିଛି । ଏପରିକି ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏ୧ କିମ୍ବା ଏ୨ ପାଇବା ସ୍ବପ୍ନ ହୋଇଯାଇଛି । କିଛି ବେସରକାରୀ ସ୍କୁଲର ପିଲା ଏହି ସ୍ଥାନରେ ରହୁଛନ୍ତି । ଏପରିକି କିଛି ସରକାରୀ ସ୍କୁଲର ଫଳାଫଳ ଶୂନ ମଧ୍ୟ ରହିଥିବାର ନଜିର ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଆରମ୍ଭ କରିଛି ସୁପର-30ମିଶନ । ଏହି ମିଶନରେ ଚଳିତ ଥର ମାଟ୍ରିକ ପରୀକ୍ଷା ଦେବାକୁ ଥିବା ବଛାବଛା 30ଜଣ ଛାତ୍ରଛାତ୍ରୀଙ୍କୁ ନିଆଯାଇଛି । ଏଥିପାଇଁ ଏକ ସ୍ବତନ୍ତ୍ର ଶିବିର ପ୍ରସ୍ତୁତ କରାଯାଇଛି । ଏହି ଶିବିରରେ ପିଲାଙ୍କୁ ରଖାଯାଇ ଆସନ୍ତା ପରୀକ୍ଷା ପାଇଁ ପ୍ରସ୍ତୁତ କରାଯାଉଛି ।

ଶିବିରରେ ରହୁଥିବା ପିଲାମାନେ ପ୍ରତିଦିନ ଭୋର 5ଟାରେ ଉଠିବା ସହ ନିତ୍ୟକର୍ମ ସାରୁଛନ୍ତି । ଏହାପରେ ନିୟୋଜିତ ହୋଇଥିବା ଖେଳ ଶିକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଯୋଗଶିକ୍ଷା ନେଉଛନ୍ତି । ପ୍ରାୟ 1 ଘଣ୍ଟାର ଯୋଗାଭ୍ୟାସ ପରେ ସାଢେ ୬ଟାରୁ ସାଢେ 8ଟା ଯାଏଁ ପିଲାମାନେ ନିଜ ନିଜେ ପଢୁଛନ୍ତି । ସେହି ସମୟରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀମାନେ ସେମାନଙ୍କ ପ୍ରତି ଧ୍ୟାନ ରଖୁଛନ୍ତି । ଏହାପରେ ପିଲାମାନଙ୍କୁ ଦିଆଯାଉଛି ଜଳଖିଆ । ସକାଳ ସାଢେ ୯ଟାରୁ ୫ଟା ଯାଏଁ ସ୍କୁଲ କରାଯାଉଛି । ଏହା ମଧ୍ୟରେ କିଛି ସମୟ ମଧ୍ୟାହ୍ନ ଭୋଜନ ବିରତି ପ୍ରଦାନ କରାଯାଉଛି । ସେହିଭଳି ସନ୍ଧ୍ୟା 6ଟାରୁ ରାତି 9ଟା ଯାଏଁ ପିଲାମାନଙ୍କ ପଢା ସମୟ ରଖାଯାଇଥିବା ସୂଚନା ଦେଇଛନ୍ତି ଏହି ଶିବିରରେ ନିୟୋଜିତ ଶିକ୍ଷୟିତ୍ରୀ । ଏଥିପାଇଁ ୪ ଜଣ ୱାଡେନଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ୪ ଜଣ ଖେଳ ଶିକ୍ଷକ ଏବଂ ବିଭିନ୍ନ ବିଷୟର ୨୮ଜଣ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି ।

ଏହି ଶିବିରରେ ଜିଲ୍ଲାର ବିଭିନ୍ନ ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀ ରହିଛନ୍ତି । ସେମାନେ ଏହାକୁ ନେଇ ବେଶ୍ ଉତ୍ସାହିତ । ବିଶେଷ କରି ଗ୍ରାମାଞ୍ଚଳରୁ ଆସିଥିବା ପିଲା ବେଶ୍ ଖୁସି ପ୍ରକାଶ କରିଛନ୍ତି । ଏଠାରେ କେବଳ ପଢିବା ପାଇଁ ନୁହେଁ ରହିବା ଖାଇବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଥିବାରୁ ସମସ୍ତେ ବେଶ୍ ଖୁସି । ଅନ୍ୟପଟେ ପ୍ରଶାସନର ଏଭଳି ପଦକ୍ଷେପ ପାଇଁ କେବଳ ଅଭିଭାବକ କିମ୍ବା ଶିବିରାର୍ଥୀ ନୁହନ୍ତି ସାଧାରଣ ଲୋକେ ମଧ୍ୟ ଏହାକୁ ସ୍ବାଗତ କରିଛନ୍ତି ।


ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Last Updated : Jan 7, 2020, 11:14 PM IST

ABOUT THE AUTHOR

...view details