ଗଜପତି:ସଂସ୍କୃତି ଓ ପରମ୍ପରାର ସହର ପାରଳାଖେମୁଣ୍ଡି । ତେବେ ପାରଳାଖେମୁଣ୍ଡି ସହରର ଗଜମୁହାଁ ପରମ୍ପରା ଯେତିକି ପୁରୁଣା ସେତିକି ରୋଚକ ମଧ୍ୟ । ସହରର ଅଧିକାଂଶ ସାହିରେ ପ୍ରତିବର୍ଷ ଚୈତ୍ର ମାସର ମଙ୍ଗଳବାରରେ ଏହା ପାଳିତ ହେଉଥିବା ବେଳେ ସହରର କଟିକିଆ ସାହିରେ ସବୁ ମଙ୍ଗଳବାରେ ଏହା ପାଳିତ ହୋଇଥାଏ । ଚିତ୍ର ମାସର ଅନ୍ୟ ମଙ୍ଗଳବାର ଅପେକ୍ଷା ଶେଷ ମଙ୍ଗଳବାରର ଗଜମୁହାଁର ରହିଛି ସ୍ବତନ୍ତ୍ରତା । ଲିଆ, ଗୁଡରେ ପ୍ରସ୍ତୁତ ଗଜମୁହାଁକୁ ବିଭିନ୍ନ ପ୍ରକାରରେ ସଜ୍ଜିତ କରି ମଙ୍ଗଳବାର ସନ୍ଧ୍ୟାରେ ସାହିର ଯୁବକମାନେ ଏହାକୁ ପୂଜା କରିବା ସହ ମୁଣ୍ଡରେ ଧରି ସହର ପରିକ୍ରମା କରିଥାନ୍ତି । ବୁଧବାର ସକାଳୁ ଠାକୁରାଣୀଙ୍କ ନିକଟରେ ଭୋଗ ଲଗାଇବା ପରେ ଏହାକୁ ସମସ୍ତେ ପାଇଥାନ୍ତି ।
ମୁହାଁ ପରିକ୍ରମା ସମୟରେ ବାଜୁଥିବା ବାଜାର ବି ରହିଛି ସ୍ବତନ୍ତ୍ରତା । ଜଣେ ଏହି ବାଜା ଶୁଣିବା ଦ୍ବାରା ତାର ଗୋଡ ଆପେଆପେ ସେହି ସ୍ଥାନକୁ ଟାଣିନେବା ସହ ମୁହାଁଧାରୀଙ୍କ ସହ ନାଚିବାକୁ ବାଧ୍ୟ କରିବ । ଏହି ପରମ୍ପରାକୁ ପାଳନ କରିବା ପାଇଁ କଟିକିଆ ସାହିର ଯିଏ ଯେଉଁଠି ଥା’ନ୍ତୁ ନା କାହିଁକି ସମସ୍ତେ ଘର ମୁହାଁ ହୋଇଥାନ୍ତି । ସମସ୍ତେ ରାତି ତମାମ ବୁଲିବା ସହ ବୁଧବାର ସକାଳେ ଏହାକୁ ବିସର୍ଜନ କରିବା ପରେ ଘରକୁ ଫେରିଥାନ୍ତି । ଚଳିତ ବର୍ଷ ସାହିର ଯୁବକମାନ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଭୂତାଣୁର ଅପରୂପକୁ ଗଜାମୁହାଁରେ ସଜ୍ଜିତ କରାଯାଇଥିଲା । ଯାହାକୁ ସମସ୍ତେ ଦେଖିବା ସହ କରୋନା ଭୂତାଣୁ ସଂପର୍କରେ ସଚେତନ ହୋଇପାରିଥିଲେ ।