ଗଜପତି :ବିପଦରେ ପାରଳାଖେମୁଣ୍ଡି ବିରଳ ରକ୍ତ ଚନ୍ଦନ ବଣ । ପାରଳାଖେମୁଣ୍ଡି ବନଖଣ୍ଡ ଅଧୀନରେ ଥିବା ଏହି ବଣ ଦକ୍ଷିଣ ଏସିଆର ଏକ ମାତ୍ର ସ୍ଥାନ ଯେଉଁଠି ଭରି ରହିଛି ଏହି ମୂଲ୍ୟବାନ ରକ୍ତ ଚନ୍ଦନ ଗଛ । ତେବେ ଏହି ମୂଲ୍ୟବାନ ଗଛକୁ ସୁରକ୍ଷା ଦେବା ବଦଳରେ ମୁକୁଳା ଛାଡ଼ିଦେଇ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ବନ ବିଭାଗ । ଯାହାର ସମ୍ପୂର୍ଣ୍ଣ ଫାଇଦା ଉଠାଉଛନ୍ତି ଚନ୍ଦନ କାଠ ମାଫିଆ ।
ପ୍ରତିଦିନ ଏହି ଗଛକୁ କାଟି ନେଉଛନ୍ତି ମାଫିଆ । କିଛିଦିନ ଅନ୍ତରରେ ଶହ ଶହ କିଲୋ ଓଜନର ରକ୍ତ ଚନ୍ଦନ କାଠକୁ ଭାୟା ଚେନ୍ନାଇ ଏବଂ ହାଇଦ୍ରାବାଦ ଦେଇ ବିଦେଶକୁ ରପ୍ତାନୀ କରାଯାଇଛି । ସେପଟେ ଆନ୍ଧ୍ର ପୁଲିସ୍ ହାତରେ ଏକାଧିକବାର ରକ୍ତ ଚନ୍ଦନ ତସ୍କରୀ ଗ୍ୟାଙ୍ଗ ଧରାପଡିବା ପରେ ଏହା ସ୍ପଷ୍ଟ ହୋଇଛି । ହେଲେ ଏହି ରାକେଟକୁ ଧରିବାରେ ବନବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି । ତେବେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହି ନିଜର ଦାୟିତ୍ବ ସାରି ଦେଇଛି ବନବିଭାଗ । ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ସୂଚନାନୁସାରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବନବିଭାଗ ଅଧୀନସ୍ଥ ମହେନ୍ଦ୍ରଗିରି ବନାଞ୍ଚଳ ଅଧୀନରେ ରହିଛି ରକ୍ତ ଚନ୍ଦନ ବଣ । ପାରଳା ମହାରାଜାଙ୍କ ତତ୍ବାବଧାନରେ ସୃଷ୍ଟି ହୋଇଥିବା ଏହି ରକ୍ତ ଚନ୍ଦନ ବଣ ଦକ୍ଷିଣ ଏସିଆର ବୃହତ ଅଞ୍ଚଳ ବୋଲି କୁହାଯାଏ । ଔଷଧୀୟ ଗୁଣରେ ଭରପୁର ଏହି ଗଛରେ ପରିପୂର୍ଣ୍ଣ ବଣ ଏବେ ମାଫିଆଙ୍କ ଲୋଲୁପ ଦୃଷ୍ଟିରେ । ପ୍ରତିଦିନ ଏହି ବଣରୁ ମୂଲ୍ୟବାନ ଗଛକୁ କାଟି ନେଇ ମାଫିଆ ମାନେ ଭାୟା ହାଇଦ୍ରାବାଦ୍, ଦିଲ୍ଲୀ ଏବଂ ଚେନ୍ନାଇ ଭଳି ସହର ଦେଇ ବିଦେଶକୁ ଚାଲାଣ କରିଥାନ୍ତି । ହେଲେ ପୋଲିସ ଏ ସମ୍ପର୍କରେ କୌଣସି ଟେର୍ ପାଉନି । ଏପରିକି ଗଜପତି ଜିଲ୍ଲାର ଗୋଟିଏ ଥାନା ଦେଇ ଏହି କାଠ ବୋଝେଇ ଗାଡି ପାର୍ ହେଉଥିଲେ ମଧ୍ୟ ପୁଲିସ୍ ଜାଣିପାରୁନି ।