ଗଜପତି: ବର୍ଷା ଛାଡିଛି, ହେଲେ ଛାଡି ଯାଇଥିବା କ୍ଷତ ଶୁଖିନାହିଁ । ଏଭଳି ଚିତ୍ର ସାମ୍ନାକୁ ଆସିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗାଲଗଣ୍ଡା ଗାଁରୁ । ଲଘୁଚାପ ଜନିତ ବର୍ଷା ଯୋଗୁଁ ଏଠାରେ ଭୂସ୍ଖଳନ ହୋଇଥିବାବେଳେ ମାଟିରେ ମିଶିଯାଇଥିଲା 2ଟି ଘର ଏବଂ ଅନ୍ୟ 3ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଆଗକୁ ଯେମିତି କିଛି ଅଘଟଣ ନ ଘଟେ, ସେଥିପାଇଁ ଏହି ଗାଁର ଲୋକେ ଏବେ ଗାଁ ଛାଡିବାକୁ ଚାହୁଁଛନ୍ତି ।
ଗତ ସପ୍ତାହରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇଥିଲା ଗଜପତି ଜିଲ୍ଲା । କେବଳ ବର୍ଷା ନାହିଁ ଭୂସ୍ଖଳନ ଫଳରେ ଅନେକ ଘରଦ୍ବାର ମାଟିରେ ମିଶିଗଲା । ଆଉ କିଛି ଘରର ନକସା ବଦଳାଇଦେଲା ବର୍ଷା । ବର୍ଷା ଛଡାଇନେଲା ବସା, ବେଉସା । ଗାଲଗଣ୍ଡା ଗାଁରେ ହୋଇଥିବା ଭୂସ୍ଖଳନ ଯୋଗୁଁ ଏବେ ଚିତ୍ର କିଛି ଏମିତି । କ୍ଷତିଗ୍ରସ୍ତଙ୍କୁ ପ୍ରଶାସନ ଉଦ୍ଧାର କରି ରିଲିଫ କ୍ୟାମ୍ପରେ ରଖିଛି । ତେବେ ଭୂସ୍ଖଳନକୁ ଅତି ପାଖରୁ ଦେଖିଥିବା ଗ୍ରାମବାସୀ ବର୍ତ୍ତମାନ ଭୟ ଓ ଆତଙ୍କରେ ଦିନ କାଟୁଛନ୍ତି ।