ଓଡିଶା

odisha

ETV Bharat / state

ଓଡିଶାକୁ ନାଲି ଆଖି ଦେଖାଇଥିବା ଆନ୍ଧ୍ର ମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା, ଚାରିଆଡୁ ନିନ୍ଦା - ଗତପତି ଖବର

ଗୋଷାଣୀ ବ୍ଲକ ଅଫିସ ସାମ୍ନାରେ ଆନ୍ଧ୍ର ମନ୍ତ୍ରୀଙ୍କୁ ସ୍ବାଗତ କଲେ ବିଜେଡିର ବ୍ଲକ ଅଧ୍ୟକ୍ଷ । ତୀବ୍ର ନିନ୍ଦା କଲା ବିରୋଧୀ ଦଳ । ଅଧିକ ପଢନ୍ତୁ

gosani block chairman facilitated Andhra minister
gosani block chairman facilitated Andhra minister

By

Published : Jul 28, 2023, 12:51 PM IST

ଗଜପତି: ଓଡିଶା ମାଟିରେ ଆନ୍ଧ୍ରମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା । ଗୋଷାଣୀ ବ୍ଲକ୍ ଅଫିସ ସାମ୍ନାରେ ଆନ୍ଧ୍ରର ପଶୁ ଓ ମତ୍ସ୍ୟ ସମ୍ପଦ ମନ୍ତ୍ରୀ ଏସ୍. ଆପଲ୍ ରାଜୁଙ୍କୁ ଉତ୍ତରୀୟ ଦେଇ ସ୍ବାଗତ କଲେ ଶାସକ ଦଳର ବ୍ଲକ ଅଧ୍ୟକ୍ଷ ଏନ.ବୀର ରାଜୁ । ଦିନେ ଯେଉଁ ମନ୍ତ୍ରୀ ଓଡ଼ିଶା ମାଟିରେ ଛିଡା ହୋଇ ସରକାରୀ ଅଧିକାରୀଙ୍କୁ ଧମକ ଦେଇଥିଲେ ଆଜି ତାଙ୍କୁ ସ୍ବାଗତ କରାଯାଉଛି । ଯାହାକୁ ତୀବ୍ର ନିନ୍ଦା କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ । ସେପଟେ ସମ୍ବର୍ଦ୍ଧନା ଦେଇଥିବା ବ୍ଲକ୍ ଅଧକ୍ଷ ଘଟଣାକୁ ସ୍ବୀକାର କରିଛନ୍ତି । ସୀମାନ୍ତ ଅଞ୍ଚଳର ଏକ ରାସ୍ତା କାମ ପାଇଁ ଆନ୍ଧ୍ରମନ୍ତ୍ରୀକୁ ଭେଟି ଥିବା କହିଛନ୍ତି ବ୍ଲକ୍ ଅଧ୍ୟକ୍ଷ ଏନ.ବୀର ରାଜୁ।

ଗତ 2021 ମସିହାରେ ମନ୍ତ୍ରୀ ଏସ୍. ଆପଲ୍ ରାଜୁ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଗଙ୍ଗାବାଡ ପଞ୍ଚାୟତରେ ଧସେଇ ପଶି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ କରିବାକୁ ଚେଷ୍ଟା କରିଥିଲେ । ଏଥିସହ ଓଡ଼ିଶା ଅଙ୍ଗନୱାଡି କେନ୍ଦ୍ରକୁ ଉଡେଇବାକୁ ଧମକ ଦେବା ସହ ଗଜପତି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର କରିଥିଲେ । ଏବେ ସେହି ମନ୍ତ୍ରୀଙ୍କୁ ଜୁଲାଇ 26 ତାରିଖ ଦିନ ଗୋଷାଣୀ ବ୍ଲକ୍ ଅଫିସ୍ ସାମ୍ନାରେ ବ୍ଲକ ଅଧ୍ୟକ୍ଷ ସ୍ଵାଗତ କରିବା ସହ ସମ୍ବର୍ଦ୍ଧନା ଦେଇ କିଛି ସମୟ କଥା ବାର୍ତ୍ତା ହୋଇଥିଲେ । ସେତେବେଳେ ଶାସକ ଦଳର କିଛି କର୍ମୀ ଓ ସରପଞ୍ଚ ମାନେ ମଧ୍ୟ ଉପସ୍ଥିତ ଥିଲେ।

ଏହା ମଧ୍ୟ ପଢନ୍ତୁ-ରାଇପାହାଡ ସୀମା ବିବାଦ; ନଥିପତ୍ର ଦେଖାଇ ନପାରି ଫେରିଗଲା ଆନ୍ଧ୍ର

ଏନେଇ ପାରଳା ବିଧାୟକ କେ. ନାରାୟଣ ରାଓ କହିଛନ୍ତି, ‘‘ଓଡିଶା ମାଟିରେ ଆନ୍ଧ୍ରାର ମନ୍ତ୍ରୀ ଏସ୍. ଆପଲ୍ ରାଜୁଙ୍କୁ ସ୍ବାଗତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ । ଆନ୍ଧ୍ରରେ ଯେତେ ବେଳେ ପଞ୍ଚାୟତ ନିର୍ବାଚନ ହେଉଥିଲା ସେତେବେଳେ ସେହି ମନ୍ତ୍ରୀ ରାୟଗଡ ବ୍ଲକର ଗଙ୍ଗାବାଡରେ ନିର୍ବାଚନ କରିବାକୁ ଚେଷ୍ଟା କରିଥିଲେ । ସେତେବେଳେ ବିଜେପି ଏହାକୁ ବିରୋଧ କରିବାରୁ ନିର୍ବାଚନ ହୋଇ ପାରି ନଥିଲା। କିନ୍ତୁ ରାଜ୍ୟ ସରକାରୀଙ୍କ ନିଜ ଜାଗା ପ୍ରତି ବିଲକୁଲ ବି ଚିନ୍ତା ନାହିଁ । ସେମିତି ତାଙ୍କ ପାର୍ଟିର ଚେୟାରମ୍ୟାନ ମଧ୍ୟ, ସେମାନେ ଆଉ କଣ କରିବେ । ଆନ୍ଧ୍ର ବାଲା ଯାଗା ନେଇ ଯାଆନ୍ତୁ କିନ୍ତୁ ସେମାନେ ସେଠାକାର ମନ୍ତ୍ରୀକୁ ସ୍ବାଗତ କରିବେ । ଯଦି ଏମିତି ଆଗକୁ ହୁଏ ତେବେ ଓଡିଶା ବିଚ୍ଛିନ୍ନ ହୋଇଯିବ’’ ।

ଏନେଇ ଜିଲ୍ଲା କଂଗ୍ରେସ ଉପ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ, ଗତ ଦୁଇ ବର୍ଷ ତଳେ ଓଡିଶା ମାଟିରେ ନାଲି ଆଖି ଦେଖାଇ ଗଜପତି ଅତିରିକ୍ତ ଜିଲ୍ଲାପାଳଙ୍କୁ ଦୁର୍ବ୍ୟବହାର କରିଥିଲେ ଆନ୍ଧ୍ରାର ମନ୍ତ୍ରୀ । ଏବେ ତାଙ୍କୁ ବିଜେଡିର ବ୍ଲକ୍ ଅଧ୍ୟକ୍ଷ ସ୍ବାଗତ ସମ୍ବର୍ଦ୍ଧନା ଦେଉଛନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ଆମେ ଏହାକୁ ନିନ୍ଦା କରୁଛୁ । ବିଜେଡି ସରକାର ତାର ନେତାଙ୍କ ଦ୍ବାରା ଆନ୍ଧ୍ରକୁ ସ୍ଥଳ ବିକ୍ରି କରିବାକୁ ବସୁଧା ଚଲାଇଥିବା ଆମେ ଚିନ୍ତା କରିଛୁ । ଯଦି ଆଗକୁ ଏପରି ଚାଲେ ଆମେ ରାଜ ରାସ୍ତାକୁ ଓହ୍ଳାଇବୁ ।

କେବଳ ବିରୋଧୀ ନୁହେଁ ସାଧାରଣରେ ବି ଏହି ଘଟଣାକୁ ନିନ୍ଦା କରାଯାଉଛି । ଏନେଇ ଗୋଷାଣୀ ବ୍ଲକ ଅଧକ୍ଷ କହିଛନ୍ତି, ଆନ୍ଧ୍ର ମନ୍ତ୍ରୀ ଆମ ଅଫିସ ଦେଇ ଯାଉଥିଲେ । ତାଙ୍କୁ ଭେଟି ସ୍ବାଗତ କରିବା ସହ ସୀମାନ୍ତ ଅଞ୍ଚଳର ଏକ ରାସ୍ତା ମରାମତି ପାଇଁ କଥା ବାର୍ତ୍ତା ହୋଇଥିଲେ। ଗୋଟିଏ ପଟେ ଗଜପତି ଜିଲ୍ଲା ସୀମାନ୍ତ ଗାଁ ଗୁଡ଼ିକରେ ଓଡ଼ିଆ ମାନେ ନିଜ ସ୍ୱାଭିମାନକୁ ନେଇ ଆନ୍ଧ୍ର ସରକାରଙ୍କ ସହ ଲଢୁଥିବା ବେଳେ ଅନ୍ୟପଟେ ଜଣେ ନିର୍ବାଚିତ ପ୍ରତିନିଧି ଆନ୍ଧ୍ରମନ୍ତ୍ରୀଙ୍କୁ ଓଡ଼ିଶା ମାଟିରେ ସ୍ବାଗତ କରିବା ଘଟଣାକୁ ନେଇ ରାଜନୀତି ସରଗରମ ହୋଇଛି ।

ଇଟିଭି ଭାରତ, ଗଜପତି

ABOUT THE AUTHOR

...view details