ଓଡିଶା

odisha

By

Published : Apr 22, 2021, 5:22 PM IST

ETV Bharat / state

ଶେଷ ହେଉନି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ, ହନ୍ତସନ୍ତ ସହରବାସୀ

ପାରଳାଖେମୁଣ୍ଡି ସହରର ରାସ୍ତା ପ୍ରଶସ୍ତିକରଣ କାମରେ ଅବହେଳା ଅଭିଯୋଗ । ଦୀର୍ଘ ବର୍ଷ ହେଲା ଶେଷ ହେଉନି କାର୍ଯ୍ୟ । ଅଧିକ ପଢନ୍ତୁ...

road extension work is not over, town peoples are facing problem
ଶେଷ ହେଉନି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ, ହନ୍ତସନ୍ତ ସହରବାସୀ

ଗଜପତି: ସହରର ମୁଖ୍ୟ ରାସ୍ତାର ପ୍ରଶସ୍ତିକରଣ ସହ ଉନ୍ନତିକରଣ ପାଇଁ ପୌରପରିଷଦ ନିଜ ଅଧିନରେ ଥିବା ରାସ୍ତାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଥିଲା । ଇତି ମଧ୍ୟରେ 10ବର୍ଷରୁ ଅଧିକ ବିତି ସାରିଥିଲେ ମଧ୍ୟ ଏହି ରାସ୍ତାର ସ୍ଥିତି ସୁଧୁରିବା ବଦଳରେ ଅଧିକ ଦୟନୀୟ ହୋଇପଡିଛି । ବିଶେଷ କରି ଏହି ପ୍ରକଳ୍ପ କାମ ଆରମ୍ଭ ହେବା ପରଠାରୁ ସହରବାସୀଙ୍କ ଦୁର୍ଦ୍ଦଶା ବଢିବାରେ ଲାଗିଛି । ଫରେଷ୍ଟ ଗେଟ ଛକରୁ ବସଷ୍ଟାଣ୍ଡକୁ ଲମ୍ବି ଥିବା ରାସ୍ତାକୁ ପ୍ରଶସ୍ତ କରିବା ସହ ଏହାର ଉନ୍ନତିକରଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇ ଏହାର କାମ ଆରମ୍ଭ ହୋଇଛି । ହେଲେ ଇତି ମଧ୍ୟରେ ପ୍ରାୟ 4ବର୍ଷ ବିତିସାରିଥିଲେ ମଧ୍ୟ ଏହି କାମ ସଂପୂର୍ଣ୍ଣ ହେବା ତ ଦୂରର କଥା 50 ପ୍ରତିଶତ ମଧ୍ୟ ହୋଇନାହିଁ ।

ଶେଷ ହେଉନି ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ, ହନ୍ତସନ୍ତ ସହରବାସୀ

ବିଶେଷ କରି ସହର ମଧ୍ୟ ଭାଗରେ ଯେଉଁଠାରେ ରାସ୍ତା ସଙ୍କୁଚିତ କାରଣରୁ ସବୁବେଳେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟୁଛି । ସେହି ସ୍ଥାନର ପ୍ରଶସ୍ତିକରଣ କାମ ପାଇଁ ଜବରଦଖଲ ଉଚ୍ଛେଦ କରାଯାଇଥିଲେ ମଧ୍ୟ ଏହାର ନିର୍ମାଣ କାମ ଆରମ୍ଭ ହୋଇନାହିଁ । ଜଳ ଯୋଗାଣ ପାଇଁ ପାଇପ ବିଛା କାମ ନାଳ ମଧ୍ୟରେ ହୋଇଥିବାରୁ ଲୋକେ ଦୂଷିତ ଜଳ ପିଇବାକୁ ବାଧ୍ୟ ହେଉଛନ୍ତି । ସେହିପରି କୋର୍ଟ ଛକରୁ ହସ୍ପିଟାଲ ଛକ ଯାଏଁ ଲମ୍ବିଥିବା ସହରର ଅନ୍ୟତମ ମୁଖ୍ୟରାସ୍ତାର ଉନ୍ନତିକରଣ କାମ ଆରମ୍ଭ ହୋଇଥିବାବେଳେ ପ୍ରଶସ୍ତିକରଣର କୌଣସି ଯୋଜନା ନାହିଁ ।

ଏହି କାମ ଆରମ୍ଭ ହେବାର ଦୁଇ ବର୍ଷ ବିତି ସାରିଥିଲେ ମଧ୍ୟ ଅଧା କାମ ମଧ୍ୟ ହୋଇନାହିଁ । ଏପରିକି ରାସ୍ତାରେ ଥିବା କଲଭର୍ଟ କାମ ଆରମ୍ଭ ହୋଇଥିଲେ ମଧ୍ୟ ଦୀର୍ଘ ଦିନ ହେଲା ସରିପାରୁନାହିଁ । ଫଳରେ ସହରରେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହି ରାସ୍ତା ନିର୍ମାଣବେଳେ ପୁରୁଣା ରାସ୍ତାକୁ ଖୋଳାନ ଯାଇ ତାହାରି ଉପରେ ହିଁ କଂକ୍ରିଟ ପକାଯାଉଥିବାରୁ ରାସ୍ତାର ଉଚ୍ଚତା ବୃଦ୍ଧି ହେଉଥିବା ଯୋଗୁଁ ଘରଗୁଡିକ ତଳୁଆ ହୋଇଗଲାଣି । ଫଳରେ ସାମାନ୍ୟ ବର୍ଷା ହେଲେ ରାସ୍ତା କଡର ଘରେ ପାଣି ପଶିଯିବ । କେବଳ ସେତିକି ନୁହେଁ ରାସ୍ତା କଡରେ ଥିବା ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ପୂର୍ବଭଳି ରହିଥିବାରୁ ଏହା ଉପର ଦେଇ ଯାଇଥିବା ବିଦ୍ୟୁତ୍ ତାର ଯାତାୟତ କରୁଥିବା ଗାଡିକୁ ଲାଗିବା ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହେବ । ଏହାକୁ ନେଇ ବୁଦ୍ଧିଜୀବି ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କୋଟି କୋଟି ଟଙ୍କା ଖର୍ଚ୍ଚରେ ଯଦି ପୂର୍ତ୍ତ ବିଭାଗ ଏଭଳି କାମ କରିବାର ଥିଲା ତାହେଲେ ପୌରପରିଷଦ କ’ଣ ଏହା କରିପାରିନଥାନ୍ତା କି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିନା କୌଣସି ପ୍ରଶସ୍ତିକରଣ ଏବଂ ବର୍ଷ ବର୍ଷ ଧରି ରାସ୍ତା କାମ ସରୁନଥିବା ବେଳେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତା କାମରେ ବିଳମ୍ବ କଥାକୁ ସ୍ବୀକାର କରିଛନ୍ତି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details