ଗଜପତି: ରାଜ୍ୟରେ ସରିଛି ସମସ୍ତ ପର୍ଯ୍ୟାୟ ନିର୍ବାଚନ । ଏବେ ଆଗକୁ ଅଛି ଭୋଟ ଗଣତି । ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି ଜିଲ୍ଲା ପ୍ରଶାସନ । ଗଜପତି ଜିଲ୍ଲା ମୋହନା ଓ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ଭୋଟ ଗଣତି ପାଇଁ ଚାଲିଛି ସଜବାଜ । ଏଥିଲାଗି ତତ୍ପରତା ଦେଖାଇଛନ୍ତି ଗଜପତି ପ୍ରଶାସନ । ମତଗଣନାରେ ଗଜପତି ଜିଲ୍ଲାରେ 192 ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି ବୋଲି ଜିଲ୍ଲାପାଳ ଅନୁପମ ସାହା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଭିଡିଓ ସୌଜନ୍ୟ: ପ୍ରତିନିଧି, ଗଜପତି ଆସନ୍ତା 23 ତାରିଖରେ ଅନୁଷ୍ଠିତ ହେବ ଭୋଟ ଗଣତି । ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାରଳାଖେମୁଣ୍ଡି, ମୋହନା ବିଧାନସଭା ଓ ଲୋକସଭା ଆସନ ନିମନ୍ତେ ମତଗଣନା କରାଯିବ । ଉକ୍ତ ଆସନର ମତଗଣନା ନିମନ୍ତେ ଦୁଇଟି ଭିନ୍ନଭିନ୍ନ ମତଗଣନା କେନ୍ଦ୍ର କରାଯାଇଛି । ଉଭୟ କେନ୍ଦ୍ରରେ ପ୍ରତ୍ୟେକ ରାଉଣ୍ଡରେ ବିଧାନସଭା ଓ ଲୋକସଭା ନିମନ୍ତେ 7ଟି ଲେଖାଁଏ ଟେବୁଲରେ ମତଗଣନା କରାଯିବ ।
ସେହିପରି ପ୍ରତ୍ୟେକ ରାଉଣ୍ଡରେ 10ଟି ଲେଖାଁଏ ଟେବୁଲର ମତଗଣନା କରାଯିବା ନିମନ୍ତେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଭାବେ ଅନୁରୋଧ କରାଯାଇଛି । ଭୋଟ ଗଣତି ନିମନ୍ତେ ନିୟୋଜିତ ହୋଇଥିବା 192ଜଣ କର୍ମଚାରୀଙ୍କ ମଧ୍ୟରେ 64ଜଣ ଲେଖାଁଏ ମତଗଣନା ସହାୟକ, ମତଗଣନା ପରିଦର୍ଶକ ଓ କ୍ଷୁଦ୍ର ପର୍ଯ୍ୟବେକ୍ଷକ ଅନ୍ତର୍ଭୁକ୍ତ । ପ୍ରଥମେ ପୋଷ୍ଟାଲ୍ ବ୍ୟାଲେଟ ଗୁଡିକ ଗଣନା କରାଯିବ । ତାପରେ ଇଭିଏମ ଓ ଶେଷରେ 5ଟି ଭିଭିପାଟ୍ ମେସିନର ମତଗଣନା କରାଯିବ ।
ମତଗଣନା କେନ୍ଦ୍ରରେ ଏସି ବ୍ୟବସ୍ଥା, ସିସିଟିଭି ବ୍ୟବସ୍ଥା, ପାନୀୟ ଜଳ ଓ ଶୌଚାଳୟର ବ୍ୟବସ୍ଥା କରାଯାଇଛି । ମତଗଣନା ହଲ୍ ଭିତରକୁ ବିଭିନ୍ନ ରାଜନୈତିକ ଦଳ ଓ ସ୍ବାଧୀନ ପ୍ରାର୍ଥୀଙ୍କ ଦ୍ବାରା ପଠାଯାଉଥିବା ଏଜେଣ୍ଟଙ୍କୁ ମୋବାଇଲ ଫୋନ ଓ କ୍ୟାମେରା ନେବାକୁ ବାରଣ କରାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ସାହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱ।ଇଁ ଓ ସହକାରୀ ଜିଲ୍ଲାପଳ ସରୋଜ ବେହେରା ଉପସ୍ଥିତ ଥିଲେ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ