ଗଜପତି: ଜିଲ୍ଲାର ନୂଆଗଡ ବ୍ଳକ ତାବରଡା ଗାଁର ଖ୍ରୀଷ୍ଟିୟାନ ସାହି ପଛପଟେ ଥିବା ଏକ ଜମିକୁ କିଛି ଲୋକେ ଜବରଦଖଲ କରୁଥିବା ବେଳେ ସେହି ସାହିର ଲୋକେ ବିରୋଧ କରିଛନ୍ତି । ଏହାକୁ ନେଇ ବିଗତ ଦିନରେ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ମଧ୍ୟ ହୋଇଥିଲା । ଏପରିକି ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ କିଛି ଲୋକଙ୍କୁ ପୋଲିସ୍ ଗିରଫ ମଧ୍ୟ କରିଥିଲା । ଏହି ଘଟଣାକୁ ନେଇ ଉଭୟ ପକ୍ଷ ଥାନାର ଦ୍ବାରସ୍ଥ ହୋଇଥିଲେ ।
ହେଲେ ଏହାପରେ ମଧ୍ୟ ଏହି ବିବାଦ ଥମିବାର ନାଁ ନେଉନାହିଁ । ବର୍ତ୍ତମାନ ମଧ୍ୟ କିଛି ଲୋକ ଏହି ଜାଗାକୁ ନାଲି ପତାକା ପୋତି ଜବରଦଖଲ କରିବାକୁ ଉଦ୍ୟମ କରୁଛନ୍ତି । ତାବରଡା ଗାଁର ଖ୍ରୀଷ୍ଟିୟାନ ସାହି ବାସିନ୍ଦା ଏଭଳି କିଛି ଅଭିଯୋଗ କରି ଶୁକ୍ରବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସମାଧାନ କରିବାକୁ ଦାବି କରିଛନ୍ତି । ଜୀବନ ଦେବୁ ପଛେ ସମ୍ପୃକ୍ତ ଜାଗାକୁ ଜବରଦଖଲକାରୀଙ୍କ କବ୍ଜାକୁ ଯିବାକୁ ଦେବୁନାହିଁ ନାହିଁ ବୋଲି ସେମାନେ କହିଛନ୍ତି ।