ଗଜପତି: କୋରୋନା ଲଢେଇରେ ରାଜ୍ୟର ସଫଳତା ସହ ଏହି ସଫଳତା ପଛରେ ଥିବା କୋରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଶନିବାର ସନ୍ଧ୍ୟା 5ଟା 30ରେ ବନ୍ଦେ ଉତ୍କଳ ଜନନୀ ଗାନ ପାଇଁ ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏନେଇ ଶନିବାର ସାରା ରାଜ୍ୟରେ ଉତ୍କଳ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିବା ଦେଖିବାକୁ ମିଳିଥିଲା । ଏହି କ୍ରମରେ ଉଭୟ ଗଜପତି ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଏହି କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥିଲା ।
ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ସ୍ଥାନୀୟ ରାଜଦାଣ୍ଡରେ ‘ବନ୍ଦେ ଉତ୍କଳ ଜନନୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପୌରପରିଷଦର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମସ୍ତ ପୌର କର୍ମଚାରୀ ସାମିଲ ହୋଇଥିଲେ । ଏହି ସମୟରେ ରାଜଦାଣ୍ଡକୁ ଅତି ଆକର୍ଷଣୀୟ ଭାବେ ସଜା ଯାଇଥିବା ବେଳେ ସାମାଜିକ ଦୂରତା କିଭଳି ରହିବ ତାହା ଉପରେ ମଧ୍ୟ ଯଥେଷ୍ଟ ଗୁରୁତ୍ବ ଦିଆଯାଇଥିଲା ।