ଡେଙ୍ଗୁକୁ ନେଇ ଚିନ୍ତାରେ ପାରଳାଖେମୁଣ୍ଡିବାସୀ, ସ୍ବଚ୍ଛତା ପ୍ରତି ନାହିଁ ପ୍ରଶାସନ ନିଘା ଗଜପତି: ଡେଙ୍ଗୁକୁ ନେଇ ଚିନ୍ତାରେ ସରକାର । ବର୍ତ୍ତମାନ ସାରା ରାଜ୍ୟରେ ଡେଙ୍ଗୁ ଆତଙ୍କ ଜାର ରହିଛି । ନିଜ ପାରିପାର୍ଶ୍ବିକ ସ୍ଥାନକୁ ସଫେଇ ରଖି ଡେଙ୍ଗୁ ଠାରୁ ଦୂରେଇ ରହିବାକୁ ସରକାର ଲୋକଙ୍କୁ ସଚେତନ କରୁଛନ୍ତି । ହେଲେ ପାରଳାଖେମୁଣ୍ଡି ସହରର ସ୍ଥିତିକୁ ଦେଖିଲେ ଡେଙ୍ଗୁ ଜନିତ ସମସ୍ୟାକୁ ନେଇ ପୌରପରିଷଦ କେତେ ବେଫିକର ତାହା ସ୍ଫଷ୍ଟ ବାରି ହୋଇପଡୁଛି । ସହର ତଳି ଅଞ୍ଚଳରେ ବର୍ଷା ଜଳ ଜମି ରହିଛି । ମାସ ମାସ ଧରି ଏହି ବର୍ଷା ଜଳ ଜମି ରହିଥିବା ବେଳେ ଏହି ଅଞ୍ଚଳରେ ବସବାସ କରୁଥିବା ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ତେବେ ଜମି ରହିଥିବା ଜଳକୁ ପ୍ରତିବର୍ଷ ପୌରପରିଷଦ ନିଷ୍କାସନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରୁଥିଲା । ମାତ୍ର ଚଳିତ ବର୍ଷ ଏହାକୁ ସଫା କରିବା ଦିଗରେ ପୌର ପରିଷଦ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ । ଫଳରେ ସ୍ଥିତି ବିଗିଡିବାରେ ଲାଗିଛି । ଜମି ରହିଥିବା ପାଣି ଯୋଗୁଁ ଡେଙ୍ଗୁ ବ୍ୟାପିବା ସମ୍ଭାବନା ରହିଛି । ତେଣୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ତେଣୁ ତୁରନ୍ତ ଏହି ଜଳକୁ ନିଷ୍କାସନ କରାଇବା ପାଇଁ ଲୋକେ ଦାବି କରିଛନ୍ତି ।
ଅଧିକ ପଢ଼ନ୍ତୁ: ଭୁବନେଶ୍ୱରେ ଡେଙ୍ଗୁ ଆତଙ୍କ ପରେ ଟେନସନରେ CMC, ମୁକାବିଲା ପାଇଁ ଭିଡିଲା ଅଣ୍ଟା
ସ୍ଥାନୀୟ ବାସିନ୍ଦା କହିଛନ୍ତି, ‘‘ସହରର ଭିତରେ ଥିବା ଅଞ୍ଚଳ ଉପରେ ପୌରପରିଷଦ ନିଘା ନାହିଁ । ସାମାନ୍ୟ ବର୍ଷାରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଛି । ସହରର ନାଳ ପାଣି ଯିବା ପାଇଁ ସୁବିଧା ନଥିବା ବେଳେ ଡ୍ରନେଜ୍ ସିଷ୍ଟମ ବିଷୟରେ ନକହିବା ଭଲ । ତେଣୁ ପ୍ରଶାସନ ଏହାପ୍ରତି ଦୃଷ୍ଟି ଦେଉ ନଚେତ ସହରରେ ଡେଙ୍ଗୁ ଆତଙ୍କ ବଢିବ ।’’
ସହରର ବର୍ଷା ଜଳ ଜମି ରହୁଥିବା ଏହି ଅଞ୍ଚଳରେ ପୌରପରିଷଦ ଅଧିନରେ ନାହିଁ । ଏହି ଅଞ୍ଚଳର ଲୋକେ ପୌରପରିଷଦରେ ସାମିଲ କରିବା ପାଇଁ ବାରମ୍ବାର ଦାବି କରିବା ପରେ ମଧ୍ୟ ପ୍ରଶାସନ ଏଥିରେ କର୍ଣ୍ଣପାତ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ ।
ସେପଟେ ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ବନମାଳୀ ଶତପଥି କହିଛନ୍ତି,‘‘ଏହି ଅଞ୍ଚଳ ପୌରପରିଷଦ ଅଧିନରେ ନାହିଁ । ପୌରପରିଷଦ କାହିଁକି ସେଠାରେ ଟଙ୍କା ଖର୍ଚ୍ଚ କରିବ । ପଞ୍ଚାୟତ ସହ ଆଲୋଚନା କରି ଏହି ସମସ୍ୟାର ସମାଧନ କରାଯିବ ।’’ ତେବେ ନାଳ ସଫାକୁ ନେଇ ପୌରପରିଷଦ ଓ ପଞ୍ଚାୟତ ମଧ୍ୟରେ କନ୍ଦଳ ଭିତରେ ପେଶି ହେଉଛନ୍ତି ସାଧାରଣ ଜନତା । ଅଞ୍ଚଳବାସୀ କହିଛନ୍ତି ପୌରପରିଷଦ କରୁ କି ପଞ୍ଚାୟତ କରୁ ନାଳ ସମସ୍ୟା ସମାଧାନ ହେବା ଜରୁରୀ । ତେଣୁ ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବାକୁ ଦାବି ହେଉଛି ।
ଇଟିଭି ଭାରତ, ଗଜପତି