ଓଡିଶା

odisha

ETV Bharat / state

ବାହୁଡାରେ ବିଦ୍ୟୁତ କଷ୍ଟ: ବିଞ୍ଝଣା ଓ ଟର୍ଚ୍ଚ ସାହାରାରେ ରୋଗୀ

ଦେଢ ଘଣ୍ଟା କିଟିକିଟି ଅନ୍ଧାରରେ ହନ୍ତସନ୍ତ ରୋଗୀ । ବାହୁଡା ଯୋଗୁଁ ବିଦ୍ୟୁତ କାଟ ହୋଇଥିବା ଯୋଗୁଁ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ସମସ୍ୟା ଉପୁଜିଥିବା ନଜର ଆସିଛି ।

By

Published : Jul 13, 2019, 3:08 PM IST

ଫଟୋ ସୌଜନ୍ୟ-ସମ୍ବାଦଦାତା, ଗଜପତି


ଗଜପତି: ଦେଢ ଘଣ୍ଟାର କିଟିକିଟି ଅନ୍ଧାରରେ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଅସହ୍ୟ ଗରମ ସାଙ୍ଗକୁ ଲାଇଟ ବନ୍ଦ । ଏଭଳି ସମସ୍ୟାରେ ରୋଗୀମାନେ ଛଟପଟ ହୋଇପଡିଥିବା ନଜର ଆସିଛନ୍ତି । ଏପଟେ ଜେନେରେଟରରେ ସମସ୍ୟା ଯୋଗୁଁ ଏପରି ସ୍ଥିତି ଉପୁଜିଥିବା ନେଇ ସଫେଇ ଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।


ବାହୁଡା ଯାତ୍ରା ଉପଲକ୍ଷେ ଜିଲ୍ଲାରେ ବିଦ୍ୟୁତ ସରବରାହ ବନ୍ଦ ଥିଲା । ଏ ନେଇ ଅବଗତ ଥିଲେ ସୁଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ କିଛି ଆଗକୁ ସତର୍କତା ଅବଲମ୍ବନ କରାଯାଇନଥିଲା । ଫଳରେ ବିଦ୍ୟୁତ କାଟ ପରେ ଦୀର୍ଘ ସମୟ ଧରି ରୋଗୀ ହନ୍ତସନ୍ତ ହୋଇଥିଲେ । ଆଉ ଠିକ ଏହି ସମୟରେ ଗୋଷାଣି ବ୍ଳକର ଏସି.ସୋବରା ନିକଟରେ ହୋଇଥିବା ଟ୍ରାକ୍ଟର ଦୁର୍ଘଟଣାରେ କିଛି ଗୁରୁତରଙ୍କୁ ଏଠାକୁ ଅଣାଯାଇଥିଲା । ସେମାନେ ମଧ୍ୟ ଏହି ସମସ୍ୟାର ସମ୍ମୁଖାନ ହୋଇଥିଲେ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଗଜପତି


ତେବେ ଏଭଳି ଘଟଣା ଆଜି ନୁହେଁ ବହୁ ଥର ଘଟୁଛି । କିନ୍ତୁ ଏଥିପ୍ରତି କୌଣସି ଆଗୁଆ ପଦକ୍ଷେପ ଗ୍ରହଣ କରାନଯିବା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବକୁ ପଦାରେ ପକାଇଛି । ଏପରିକି ମେଡିକାଲକୁ ଜେନେରେଟର ଦିଆଯାଇଥିଲେ ମଧ୍ୟ ତାହା ବ୍ୟବହାର କରାଇନଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।

ଖବର ପାଇ ଅତିରିକ୍ତ ଜିଲ୍ଲାପାଳ ସ୍ବାଧା ଦେବ ସିଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ସ୍ଥିତି ଅନୁଧାନ କରିଥିଲେ । ଏଥିସହ ଯଥାସମ୍ଭବ ବିଦ୍ୟୁତ ସରବରାହ ସ୍ଵାଭାବିକ କରାଇଥିଲେ ।

ତେବେ ରାଜ୍ୟରେ ଏତେ ବିଦ୍ୟୁତ ବଳକା ପରେ ବି ସମସ୍ୟା ଥମୁନି । ଏହି ପ୍ରସଙ୍ଗକୁ ନେଇ ପୂର୍ବରୁ ବିଧାନସଭାରେ ମଧ୍ୟ ବହୁ ତର୍କବିତର୍କ ହୋଇସାରିଛି । ହେଲେ 'ଯଥା ପୂର୍ବଂ ତଥା ପରଂ' । ବିଦ୍ୟୁତ କାଟ ସମସ୍ୟାରୁ ମେଡିକାଲ ମଧ୍ୟ ବାଦ ପଡୁନି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details