ଗଜପତି:ବସ ମାଲିକ ସଂଘର ଆନ୍ଦୋଳନ ଯୋଗୁ ହନ୍ତସନ୍ତ ଯାତ୍ରୀ । 'ଲକ୍ଷ୍ମୀ ବସ' ଯୋଜନାକୁ ବିରୋଧ କରି ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଫଳରେ ଯାତ୍ରୀମାନେ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଷ୍ଟାଡିଅମ ଠାରେ ଆଜି ଦିନ ପ୍ରାୟ ୧୧ଟା ସମୟରେ ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ମାଧ୍ୟମରେ ଲକ୍ଷ୍ମୀ ବସ ଯୋଜନାର ଉଦଘାଟନ କରିଛନ୍ତି । ଏଥିପାଇଁ ଷ୍ଟାଡିୟମରେ ଅନେକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ତେବେ ଏହି ଯୋଜନାକୁ ବସ ମାଲିକ ସଂଘ ପକ୍ଷରୁ ବିରୋଧ କରି ବସ ବନ୍ଦ ରହିଥିବାବେଳେ ଆଜିର କାର୍ଯ୍ୟକ୍ରମକୁ ଲୋକେ ଆସିବା ପାଇଁ ସମସ୍ତ ସରକାରୀ ବସ ଚାଲୁ ରହିଥିଲା ।
ପଡୋଶୀ ରାଜ୍ୟ ଓ ଅନ୍ୟାନ୍ୟ ଜିଲ୍ଲା ତଥା ରାୟଗଡ଼ା ,ବ୍ରହ୍ମପୁର ଏବଂ ଜୟପୁରରୁ ମଧ୍ୟ ଅନେକ OSRTC ବସକୁ ଏହି କାର୍ଯ୍ୟକ୍ରମରେ ନିୟୋଜିତ କରାଯାଇଥିଲା । ଯେଉଁଥିପାଇଁ ପାର୍ବଣ ସମୟରେ ଅନେକ ଯାତ୍ରୀ ନାହିଁ ନଥିବା ଦୁର୍ଦ୍ଦଶାର ଭୋଗୁଥିବା କହିଛନ୍ତି । ଗୋଟିଏ ପଟେ ରାଜ୍ୟବ୍ୟାପୀ ଘରୋଇ ବସ ମାଲିକ ସଂଘ ଧର୍ମଘଟ କରିଛି । ଘରୋଇ ମାଲିକ ବସ ସଂଘର ଧର୍ମଘଟ ଯୋଗୁଁ ବସ୍ ସେବା ଠପ ହୋଇଛି । ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ଧର୍ମଘଟ କରିଛି ବସ ମାଲିକ ସଂଘ । ଫଳରେ ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରହିଛି । ପାର୍ବଣ ସମୟରେ ବସ ଚଳାଚଳ ବନ୍ଦକୁ ନେଇ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ଦଶହରା ପର୍ବରେ ଘରକୁ ଫେରିବାକୁ ଯାତ୍ରୀଙ୍କୁ ନାକେଦମ ହେବାକୁ ପଡୁଛି ।