ଗଜପତି: ରାଜ୍ୟର ଦ୍ବିତୀୟ ଶତାୟୁ ପୁରାତନ ପୌର ପରିଷଦ କୋଠା ଭାଙ୍ଗିବାକୁ ନେଇ ଦେଖାଦେଇଛି ଦ୍ବନ୍ଦ । ଜରାଜୀର୍ଣ୍ଣ ଅବସ୍ଥାକୁ ଆସି ଯାଇଥିବା ଏହି ପୁରାତନ କୋଠାକୁ ଭାଙ୍ଗିବା ପାଇଁ କିଛି ଗୋଷ୍ଠୀ ଦାବି କରୁଥିବା ବେଳେ, କିଛି ଏହାକୁ ନେଇ ପ୍ରତିବାଦ କରୁଛନ୍ତି। ପୌର ପରିଷଦ କୋଠା ଭଙ୍ଗାକୁ ନେଇ ଚାଲିଥିବା ବାକ୍ଯୁଦ୍ଧ ଫଳରେ ଏହି କାମ ଅଧାରେ ଝୁଲି ରହିଛି ।
ସୂଚନା ଅନୁସାରେ 1885 ମସିହାରେ ପ୍ରତିଷ୍ଠା ହୋଇଥିବା ପାରଳାଖେମୁଣ୍ଡି ପୌର ପରିଷଦର କାର୍ଯ୍ୟାଳୟ ଚାଲୁଥିବା ପୁରୁଣା କୋଠା ବିପଦ ସଙ୍କୁଳ ହୋଇପଡିଥିବା ନେଇ ବୈଷୟିକ କମିଟି ଘୋଷଣା କରିବା ପରେ, ନୂତନ କୋଠାକୁ କାର୍ଯ୍ୟାଳୟ ଘୁଞ୍ଚାଇବା ସହ ପୁରୁଣା କୋଠା ଭାଙ୍ଗିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ହେଲେ ଏହାକୁ କିଛି ଲୋକ ଐତିହ୍ୟର ଦ୍ବାହି ଦେଇ ବିରୋଧ କରୁଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ଏହାକୁ ତୁରନ୍ତ ଭାଙ୍ଗିବାକୁ ଦାବି କରୁଛନ୍ତି । ତେବେ ଏଭଳି ବାଦ ବିବାଦ ମଧ୍ୟରେ ଭଙ୍ଗାକାମ ଅଧାରେ ଅଟକି ରହିଛି।