ଓଡିଶା

odisha

ETV Bharat / state

ପାରଳାର ଲଲାମ ପ୍ରକାଶିତ, ପାରଳା ପ୍ରଜାମେଳି ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ପୁସ୍ତକରେ ଦାବି - ଗଜପତି ଇତିହାସ ଥିବା ପୁସ୍ତକ

ଦୀର୍ଘ ଦିନ ପ୍ରତିକ୍ଷାର ଅନ୍ତ ଘଟି, ଶେଷରେ ଉନ୍ମୋଚିତ ହେଲା ପାରଳାର ଇତିହାସ ବଖାଣୁଥିବା 'ପାରଳାର ଲଲାମ' ପୁସ୍ତକ । ଅଧିକ ପଢନ୍ତୁ

ପାରଳାର ଲଲାମ ଉନ୍ମୋଚିତ, ପାଇକ ବିଦ୍ରୋହକୁ ଦେଶର ପ୍ରଥମ ବିଦ୍ରୋହ ପାଇଁ ପୁସ୍ତକରେ ଦାବି
ପାରଳାର ଲଲାମ ଉନ୍ମୋଚିତ, ପାଇକ ବିଦ୍ରୋହକୁ ଦେଶର ପ୍ରଥମ ବିଦ୍ରୋହ ପାଇଁ ପୁସ୍ତକରେ ଦାବି

By

Published : May 4, 2022, 9:31 PM IST

ଗଜପତି: ଦୀର୍ଘ ଦିନ ପ୍ରତିକ୍ଷାର ଅନ୍ତ ଘଟି, ଶେଷରେ ଉନ୍ମୋଚିତ ହେଲା 'ପାରଳାର ଲଲାମ' । ଯେଉଁଥିରେ ଉଲ୍ଲେଖ ରହିଛି ପାରଳାର ଇତିହାସ । କେବଳ ଇତିହାସ ନୁହେଁ ବରଂ ଓଡିଶାର ତଥା ଦେଶକୁ ଏହି ପୁସ୍ତକ ଦିଗଦର୍ଶନ ଦେବ ବୋଲି କହିଛନ୍ତି ଏହାର ଲେଖକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ସିପାହୀ ବିଦ୍ରୋହ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ପାଇଥିବାବେଳେ ଓଡିଶାର ପାଇକ ବିଦ୍ରୋହ ପ୍ରଥମ ସଂଗ୍ରାମ ବୋଲି ଦାବି ହୋଇ ଆସୁଅଛି ।

ପାରଳାର ଲଲାମ ପ୍ରକାଶିତ, ପାରଳା ପ୍ରଜାମେଳି ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ପୁସ୍ତକରେ ଦାବି

ହେଲେ ଲେଖକ ପୂର୍ଣ୍ଣଚନ୍ଦ୍ର ପାରଳାରେ ହୋଇଥିବା ପ୍ରଜାମେଳି ହିଁ ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଏହି ପୁସ୍ତକରେ ଦାବି କରିଛନ୍ତି । ପାରଳାଖେମୁଣ୍ଡି ସ୍ଥିତ ଉକ୍ରଳ ହିତୈଷିଣୀ ସମାଜ ସଭାଗୃହ ଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ପରିବେଶରେ ଉନ୍ମୋଚିତ ହୋଇଥିବା ଏହି ପୁସ୍ତକରେ ଇଂରେଜମାନଙ୍କ ବିରୁଦ୍ଧରେ ଏହି ଅଞ୍ଚଳରେ ହୋଇଥିବା ଆନ୍ଦୋଳନକୁ ଦୋଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଦର୍ଶାଯାଇଛି । ୧୭୬୭ରୁ ଆରମ୍ଭ ହୋଇ ୧୮୩୪ଯାଏଁ ହୋଇଥିବା ହୋଇଥିବା ଏହି ସଂଗ୍ରାମରେ ପାରଳା ମହାରାଜା କିଭଳି ଇଂରେଜମାନଙ୍କୁ ବିରୋଧ କରିଥିଲେ ଏବଂ ପାରଳା ରାଜ୍ୟକୁ ଇଂରେଜମାନଙ୍କୁ ପ୍ରବେଶ କରାଇ ଦେଇନଥିଲେ ତାହାର ପ୍ରାମଣିକ ତଥ୍ୟ ଏହି ପୁସ୍ତକରେ ପ୍ରଦାନ କରିଛନ୍ତି ଲେଖକ ।

୧୮୫୭ରେ ଆରମ୍ଭ ହୋଇଥିବା ସିପାହୀ ବିଦ୍ରୋହକୁ ଆଜି ଯାଏଁ ଲୋକେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କହିଆସୁଥିଲେ । ହେଲେ ପରବର୍ତ୍ତି ସମୟରେ ୧୮୩୪ରେ ହୋଇଥିବା ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ବର୍ତ୍ତମାନ କିଛି ଲୋକେ ଦାବି କରୁଛନ୍ତି । ହେଲେ ବାସ୍ତବିକ ଏହାର ୬୭ବର୍ଷ ପୂର୍ବରୁ ଇଂରେଜମାନଙ୍କ ବିରୁଦ୍ଧରେ ପାରଳା ମହାରାଜା ଏବଂ ଏହି ଅଞ୍ଚଳର ଲୋକେ ସଂଗ୍ରାମ ଆରମ୍ଭ କରିସାରିଥିଲେ । ଇଂରେଜମାନେ ପାରଳା ରାଜାଙ୍କୁ ବନ୍ଦୀ କରି ରଖିବା ସମୟରେ ରାଜାଙ୍କୁ ମୁକ୍ତି କରିବା ପାଇଁ ଏହି ଅଞ୍ଚଳର ବିଷୋୟୀମାନଙ୍କ ନେତୃତ୍ୱରେ ସମସ୍ତ ଏକ ଯୁଦ୍ଧ ହୋଇଥିଲା ।

ଇଂରେଜମାନଙ୍କ ବିରୁଦ୍ଧରେ ହୋଇଥିବା ଏହି ଯୁଦ୍ଧରେ ଅଞ୍ଚଳର ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ । ଏପରିକି କେତେକ ଇଂରେଜଙ୍କୁ ମଧ୍ୟ ହତ୍ୟା କରିଥିଲେ । ଏହି ଯୁଦ୍ଧର ତୀବ୍ରତା ଏତେ ପରିମାଣର ରହିଥିଲା ଯେ, ପରବର୍ତ୍ତି ସମୟରେ ଇଂରେଜମାନେ ଆଉ ଏହି ଅଞ୍ଚଳକୁ ନିଜ କବଜାକୁ ନେବା ପାଇଁ ଚିନ୍ତା ମଧ୍ୟ କରିପାରିନଥିଲେ । ତେଣୁ ଏହାହିଁ ଇଂରେଜମାନଙ୍କ ବିରୁଦ୍ଧରେ ପ୍ରଥମ ସଂଗ୍ରାମ ବୋଲି ‘ପାରଳାର ଲଲାମ’ ପୁସ୍ତକର ଲେଖକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଦାବି କରିଛନ୍ତି ।

ଏହି ପୁସ୍ତକ ପ୍ରକାଶ ପାଇବା ପରେ ପାରଳାର ସ୍ୱାଭିମାନୀ ଓଡିଆ ଅତ୍ୟନ୍ତ ଖୁସି ପ୍ରକାଶ କରିବା ସହ ପୁସ୍ତକରେ ରହିଥିବା ପ୍ରତ୍ୟେକଟି ଘଟଣା ସତ୍ୟ ଏବଂ ପ୍ରାମାଣିକ ତଥ୍ୟ ଉପରେ ଆଧାରିତ । ଯୁଦ୍ଧ ହୋଇଥିବା କଥା ଇଂରେଜମାନେ ସ୍ୱୀକାର କରି ଥିବାବେଳେ ପୂର୍ବରୁ ପ୍ରତାଶିତ ଅନେକ ପୁସ୍ତକରେ ମଧ୍ୟ ଉଲ୍ଲେଖ ରହିଛି । ସବୁ ପରେ ବି ଆଜି ଯାଏଁ ଏହାକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଘୋଷଣା କରିବା ବଦଳରେ ଏହାର ଢେର ବର୍ଷ ପରେ ହୋଇଥିବା ଯୁଦ୍ଧକୁ ପ୍ରଥମ ସଂଗ୍ରାମ ବୋଲି କହିବା ନିଶ୍ଚିତ ଭାବେ ଦୁଃଖଦାୟକ ଘଟଣା । ତେଣୁ ସରକାର ଏହା ଉପରେ ବିଚାର କରିବାର ଆବଶ୍ୟକତା ରହିଥିବା ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି ।

ସେପଟେ ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ କହିଛନ୍ତି ଯେ, "ସ୍ୱାଧୀନତାର ପ୍ରଥମ ସଂଗ୍ରାମକୁ ନେଇ ବର୍ତ୍ତମାନ ଏକ ଦ୍ୱନ୍ଦ୍ବ ସୃଷ୍ଟି ହୋଇ ଥିବାବେଳେ ଏଭଳି ଏକ ପୁସ୍ତକ ଲୋକଲୋଚନକୁ ଆସିବା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ତେବେ ଏହି ପୁସ୍ତକକୁ ନେଇ ଯେତେ ଅଧିକ ଆଲୋଚନା ହେବ ସେତେ ଭଲ ।" ତେଣୁ ଏହା ଉପରେ ସମସ୍ତେ ଧ୍ୟାନ ଦେବାକୁ ବ୍ରହ୍ମପୁର ସାଂସଦ ପରାମର୍ଶ ଦେଇଛନ୍ତି । ସେ ଏହି ତଥ୍ୟକୁ ନେଇ ଚର୍ଚ୍ଚା କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

ABOUT THE AUTHOR

...view details