ଗଜପତି:ବଡ ପରଦାରେ ରିଲିଜ ହୋଇଯାଇଛି ଓଡିଆ ଚଳଚ୍ଚିତ୍ର ଦମନ । ଯାହା ଏକ ନିଚ୍ଛକ ସତ ଘଟଣା ଉପରେ ଆଧାରିତ । ଜଣେ ଡାକ୍ତର ଉପାନ୍ତ ଅଞ୍ଚଳରେ କିପରି ସଂଘର୍ଷ କରି ଲୋକଙ୍କୁ ସେବା ଯୋଗାଉଛନ୍ତି ତାହା ଚଳଚ୍ଚିତ୍ରରେ ପ୍ରତିପାଦିତ ହୋଇଛି । ଫିଲ୍ମଟିର କାାହଣୀକୁ ନେଇ ସମସ୍ତେ ଭୁରି ଭୁରି ପ୍ରଶଂସା କରୁଥିବରୁ ପ୍ରେକ୍ଷାଳୟରେ ଜମୁଛି ଦର୍ଶକଙ୍କ ଭିଡ । ତେବେ ଏହି ଫିଲ୍ମଟିକୁ ପ୍ରେକ୍ଷାଳୟରେ ଦେଖିବାକୁ ଏବେ ସୁଯୋଗ ପାଇଛନ୍ତି ଅନାଥ ଆଶ୍ରମର ଅନ୍ତେବାସୀ । ଫିଲ୍ମ ଦେଖିବା ଅନ୍ତେବାସୀଙ୍କ ପାଇଁ ସ୍ବପ୍ନ ଥିବା ବେଳେ ଏହା ସ୍ବପ୍ନକୁ ପୁରଣ କରିଛନ୍ତି ପାରଳାଖେମୁଣ୍ଡିର ଜଣେ ମେରାଇନ୍ ଇଞ୍ଜିନିୟର ଦେବୀ ପ୍ରସାଦ ଦାଶ । ଅନାଥ ଆଶ୍ରମର ଅନ୍ତେବାସୀଙ୍କ ନାଥ ସାଜି ପ୍ରାୟ ୮୩ ଜଣଙ୍କୁ ଗଜପତିର ଏକ ପ୍ରେକ୍ଷାଳରେ ଫିଲ୍ମ ଦେଖାଇଥିଲେ ଦେବୀ ପ୍ରସାଦ । ଫିଲ୍ମ ହଲରେ ପହଞ୍ଚି ଟିକଟ କରିବା ସହ ସେମାନଙ୍କ ସହ ବସି ନିଜେ ମଧ୍ୟ ସିନେମା ଦେଖିଥିଲେ।
ଦେବୀ ପ୍ରସାଦ ଦାଶ ଜଣେ ମେରାଇନ ଇଞ୍ଜିନିୟର, ଅନାଥ ଆଶ୍ରମରେ ରହୁଥିବା ଅନ୍ତେବାସୀଙ୍କୁ ସେ ବେଶ ଭଲପାଆନ୍ତି । ତେଣୁ ସେ ଯେତେବେଳେ ଛୁଟିରେ ଆସନ୍ତି ସେମାନଙ୍କ ସହ ସମୟ ବିତାଇଥାନ୍ତି । ନିଜେ ପ୍ରଥମେ ଫିଲ୍ମ ଦମନକୁ ପ୍ରେକ୍ଷାଳୟରେ ଦେଖିବା ପରେ ସେ ଅନାଥ ଆଶ୍ରମର ଅନ୍ତେବାସୀଙ୍କୁ ଫିଲ୍ମଟିକୁ ଦେଖାଇବାକୁ ଚିନ୍ତା କରିଥିଲେ । ଏହାପରେ ନିଜ ପଇସାରେ ଟିକେଟ କାଟି ପ୍ରାୟ ୮୩ ଜଣଙ୍କୁ ହଲରେ ଫିଲ୍ମ ଦେଖାଇଥିଲେ । ଅନାଥ ଆଶ୍ରମରେ ହସି ଖେଳି ପାଠ ପଢୁଥିବା ପିଲାଏ ହଲରେ ପହଞ୍ଚିବା ପରେ ବେଶ ଉତ୍ସାହିତ ହୋଇପଡିଥିଲେ । ହଲ ମଧ୍ୟରେ ଧାଡି ଧାଡି ହୋଇ ବସି ଫିଲ୍ମଟିକୁ ବେଶ ଉପଭୋଗ କରିଥିଲେ । ଦେବୀ ପ୍ରସାଦ ଦାଶଙ୍କ ସହ ବରିଷ୍ଠ ଆଇନଜୀବି ଉମେଶ ପ୍ରସାଦ ରଥ ଏବଂ ବାର୍ଡ କାଉନ୍ସିଲର ସୁରଜିତ ତ୍ରିପାଠୀ ମଧ୍ୟ ସାମିଲ ହୋଇଥିଲେ।
ସାଧାରଣ ପିଲାମାନେ ନିଜ ଅଭିଭାବକଙ୍କ ଠାରୁ ବେଶ କିଛି ଆଶା ରଖିଥାନ୍ତି ଓ କିଛି ଜିନିଷକୁ ନେଇ ଜିଦ କରିଥାନ୍ତି । କିନ୍ତୁ ଅନାଥ ଆଶ୍ରମରେ ରହୁଥିବା ପିଲାମାନଙ୍କ ପାଇଁ ଏସବୁ ସ୍ବପ୍ନ ଯେପରି । ଆଉ ସିନେମା ଦେଖିବା କଥା ମନକୁ ଆସେନାହିଁ । ଯଦିଓ ଆଶ୍ରମ ପକ୍ଷରୁ ପିଲାମାନଙ୍କୁ ଭଲ ଖାଇବା, ପିନ୍ଧିବା ଆଦି ଯୋଗାଇ ଦିଆଯାଉଛି, କିନ୍ତୁ ସିନେମା ଦେଖିବା ସେମାନଙ୍କ ପାଇଁ ଯେମିତି ସ୍ବପ୍ନ । କିନ୍ତୁ ଏହି ସ୍ବପ୍ନକୁ ପୁରା କରିଛନ୍ତି ଦେବୀ ପ୍ରସାଦ ।
ସିନେମା ଦେଖିବାପରେ ପ୍ରତିକ୍ରିୟାରେ ଅନ୍ତବାସୀ କହିଛନ୍ତି, '' ପୂର୍ବରୁ କେବେବି ସିନେମା ଦେଖିନଥିଲୁ, ଆଜି ଓଡିଆ ସିନେମା ଦମନ ଦେଖି ଖୁବ ଖୁସି ଲାଗୁଛି । ସିନେମା ହଲ୍ କିଭଳି ଥାଏ ତାହା ମଧ୍ୟ ଆମକୁ ଜଣାନଥିଲେ । କିନ୍ତୁ ଦମନ ଫିଲ୍ମ ଦେଖିବା ପରେ ଆମେ ବହୁତ ଖୁସି ଅଛୁ । ପିଲ୍ମଟି ବହୁତ ଭଲ ହୋଇଥିବା କହିଛନ୍ତି ଅନ୍ତେବାସୀ ।''