ପାରଳାଖେମୁଣ୍ଡି: କଥାରେ ଅଛି ଦୃଢ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଯେକୌଣସି ପ୍ରତିବନ୍ଧକକୁ ମଧ୍ୟ ମାତ ଦେଇପାରେ । ଏହା କିଛି ମାତ୍ରାରେ ସତ ସାବ୍ୟସ୍ତ ମଧ୍ୟ ହୋଇଛି । ନିଜର ଦୃଢ ଇଚ୍ଛାଶକ୍ତି ଓ ମନୋବଳ ପାଇଁ ଜଣେ ବାପା ମା’ ଛେଉଣ୍ଡ ଆଦିବାସୀ ଛାତ୍ର ଯୁକ୍ତ ଦୁଇ ଯାଏ ପଢିସାରିଛନ୍ତି । ହେଲେ ପଇସା ନଥିବା କାରଣରୁ ଆଗକୁ କିପରି ପଢିବେ ସେନେଇ ଚିନ୍ତାରେ ରହିଛନ୍ତି ଗଜପତି ଜିଲ୍ଲା ଗୁମା ବ୍ଲକ ବଡକଳାକୋଟର ମାନୁଏଲ ରଇତ ।
ପେଟ ଖଣ୍ଡକ ପାଇଁ ବଡକଳାକୋଟ ଗାଁର ପିତର ରଇତ ଓ ତାଙ୍କ ପତ୍ନୀ ଗିରିଜାନୀ ଦାଦନ ଖଟିବାକୁ ଅରୁଣାଚଳ ପ୍ରଦେଶ ଯାଇଥିଲେ । ସେଠାରେ ହିଁ ମାନୁଏଲ ରଇତଙ୍କ ଜନ୍ମ । ତେବେ ହଠାତ୍ କୌଣସି କାରଣରୁ ସେଠାରେ ବାପା ପିତରଙ୍କ ମୃତ୍ୟୁ ହେବା ପରେ କଅଁଳା ପୁଅକୁ ଧରି ଗାଁକୁ ଫେରିବା ସହ ମୂଲ ଲାଗି ପୁଅକୁ ମଣିଷ କରିବା ପାଇଁ ପଣ କରିଥିଲେ ମା ଗିରିଜାନୀ ।
ପୁଅକୁ ଗାଁ ସ୍କୁଲରେ ନାମ ଲେଖାଇଥିଲେ । ମାନୁଏଲ ପିଲାଟି ବେଳରୁ ଭଲ ପାଠ ପଢୁଥିବାରୁ ସେ ଥିଲେ ସମସ୍ତଙ୍କ ଅତିପ୍ରିୟ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ମାନୁଏଲ 8ମ ଶ୍ରେଣୀରେ ପଢୁଥିବାବେଳେ ମା’ ବି ଚିରନିଦ୍ରାରେ ଶୋଇଯାଇଥିଲେ । ଆଉ ଏକୁଟିଆ ହୋଇଯାଇଥିଲେ ମାନୁଏଲ ।
ଗୋଟିଏ ପଟେ ବାପା ମା’ ଛେଉଣ୍ଡ ଏବଂ ଅନ୍ୟପଟେ ଦାରିଦ୍ର୍ୟରେ ସେ ଭାଙ୍ଗି ପଡିଥିବାବେଳେ ପୁଣି ପାଠ ପଢିବାକୁ ମନ ବଳାଇଥିଲେ । ତାଙ୍କର ଆଗ୍ରହ ଦେଖି ସମ୍ପର୍କୀୟ ଓ ଗାଁ ଲୋକେ ତାଙ୍କୁ ସହାୟତା ମଧ୍ୟ କରିଥିଲେ । ପରେ ମାଟ୍ରିକ ପାସ କରି ଯୁକ୍ତ ଦୁଇରେ ପଢିଥିଲେ । ପାରଳାଖେମୁଣ୍ଡି ଏସ.କେ.ସି.ଜି କଲେଜରେ ପଢୁଥିବା ସମୟରେ ବିଭିନ୍ନ ଦୋକାନରେ କାମ କରି ନିଜର ସମସ୍ତ ଆବଶ୍ୟକତା ପୂରଣ କରୁଥିଲେ । ଶେଷରେ ଯୁକ୍ତ ଦୁଇ ମଧ୍ୟ ପାସ କରିଥିଲେ ।