ଗଜପତି:ଗତି ବଦଳାଇଲା ବାତ୍ୟା ଅସାନି । ଏ ନେଇ ମଙ୍ଗଳବାର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କାକିନାଡା ଅଞ୍ଚଳରେ ସ୍ଥଳଭାଗ ଛୁଇଁବାକୁ ରହିଥିବାବେଳେ ଏହାରି ପ୍ରଭାବରେ ଓଡିଶାରେ ବର୍ଷା ଜାରି ରହିବ । ବାତ୍ୟା ଅସାନିର ଗତି ବଦଳିବା ପରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ଜୋରଦାର କରାଯାଇଛି ।
ସୂଚନାଅନୁସାରେ, ଆନ୍ଧ୍ର ଉପକୂଳରେ ଏହା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଥିବାରୁ ଏହାର ପ୍ରଭାବରେ ଦକ୍ଷିଣ ଓଡିଶାରେ ବିଶେଷ କରି ଗଜପତି, ରାୟଗଡା ଏବଂ କୋରାପୁଟ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଗତକାଲି (ମଙ୍ଗଳବାର) ଠାରୁ ଜିଲ୍ଲାରେ ଝିପ୍ ଝିପ୍ ବର୍ଷା ଆରମ୍ଭ ହୋଇଯାଇଛି । ଆଜି ଦିନ ତମାମ ବର୍ଷା ଲାଗି ରହିବା ସମ୍ଭାବନା ରହିଛି । ତେଣୁ ପ୍ରଶାସନ ନଦୀକୂଳିଆ ଏବଂ ସହର ତଳି ଅଞ୍ଚଳରେ ରହୁଥିବା ଲୋକଙ୍କ ନିକଟରେ ପହଞ୍ଚି ଆବଶ୍ୟକ ସ୍ଥଳେ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି ।