ଗଜପତି: ଦିନିକିଆ ଗଜପତି ଗସ୍ତରେ ରାଜ୍ୟପାଳ ରଘୁବର ଦାସ । ଦିନିକିଆ ଗସ୍ତରେ ଆସି ଜିଲ୍ଲାର ଜନସାଧାରଣଙ୍କ ସହିତ ବିଭିନ୍ନ ଉନ୍ନତିମୂଳକ ଯୋଜନା ବିଷୟରେ ଆଲୋଚନା କରିଛନ୍ତି । ପ୍ରଥମେ ଗୋଷାଣି ପଞ୍ଚାୟତ ସମିତିଠାରେ ରାଜ୍ୟପାଳ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଭବ୍ୟ ସ୍ଵାଗତ କରାଯିବା ସହ ଗଜପତି ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା ।
ସେଠାରେ ଉପସ୍ଥିତ ଥିବା ସମସ୍ତ ଜନସାଧାରଣଙ୍କୁ ସମ୍ବୋଧିତ କରି ରାଜ୍ୟପାଳ କହିଥିଲେ ’’ନାରୀ ଶକ୍ତି ହିଁ ରାଷ୍ଟ୍ର ଶକ୍ତିର ଆଧାର, ଭାରତୀୟ କୁଟୁମ୍ବ ବ୍ୟବସ୍ଥାର ଧାରକ l ସେମାନଙ୍କ ସାମର୍ଥ୍ୟର ସଫଳ ଉପଯୋଗରେ ଦେଶର ଉନ୍ନତି l ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଭାରତରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହେଉଛି l ଏହାକୁ ଆଗକୁ ନେବାକୁ ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନା କରିଛନ୍ତି l’’ ସରକାରୀ ଯୋଜନାର ଲାଭ ନେବାକୁ ରାଜ୍ୟପାଳ ଗଜପତି ଜିଲ୍ଲାର ଗୋଷାଣି ପଞ୍ଚାୟତର ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ପରାମର୍ଶ ଦେଇଛନ୍ତି l ଏହା ସହିତ ବିଭିନ୍ନ ସ୍ଵୟଂ ସହାୟକ ଗୋଷ୍ଠୀର ହିତାଧିକାରୀ ମହିଳା ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ।
ଏହା ସହିତ ଗୋଷାଣିରେ ଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉପକୃତ ହୋଇଥିବା ହିତାଧିକାରୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ । ପରେ ପରେ ରାଜ୍ୟପାଳ କେରାଣ୍ଡି ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣ ସୀତାପୁର ଗ୍ରାମରେ ଥିବା ଶ୍ରୀରାମଲିଙ୍ଗେଶ୍ବର ମହାଦେବ ପୀଠ ଯାଇ ପୂଜାର୍ଚ୍ଚନା କରିଥିଲେ । ପରେ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ମତ୍ସ୍ୟସମ୍ପଦ ଜାଗୃତା ଅଭିଯାନଙ୍କୁ ଶୁଭ ଉଦଘାଟନ କରିଥିଲେ । ସେଠାରେ ଥିବା ବିଭିନ୍ନ ଷ୍ଟଲ୍ ଯଥା-ମତ୍ସ୍ୟ, ପ୍ରାଣୀ ଚିକିତ୍ସା, କୃଷି ଉଦ୍ୟାନ ଓ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଷ୍ଟଲକୁ ଯାଇ ହିତାଧିକାରୀ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ ।
ସେଠାରେ ସେ ହିତାଧିକାରୀଙ୍କୁ କହିଥିଲେ ’’ଆତ୍ମନିର୍ଭର କୃଷକ ଆତ୍ମନିର୍ଭର ଭାରତର ଆଧାରରେ କୃଷି ଓ କୃଷକଙ୍କ ସାମଗ୍ରିକ ବିକାଶ ନିମନ୍ତେ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଉପଯୋଗ କରିବା ଦରକାର l ’’ ବିକଶିତ ଭାରତ ନିର୍ମାଣ ପାଇଁ ସମସ୍ତେ କାମ କରିବାକୁ ରାଜ୍ୟପାଳ ବିଶ୍ଵବିଦ୍ୟାଳୟ ପରିସରରେ ଅନୁଷ୍ଠିତ ମତ୍ସ୍ୟ, କୃଷି, ପ୍ରାଣୀସମ୍ପଦ ଓ ଉଦ୍ୟାନ କୃଷକଙ୍କୁ ଉପଦେଶ ଦେଇଥିଲେ l