ଗଜପତି: ତାମିଲ ସିନେମାରେ ପାରଳାଖେମୁଣ୍ଡିର ଝିଅ ଦେବୋସ୍ମିତା ପଟ୍ଟନାୟକ। ତାହା ପୁଣି ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଫିଲ୍ମରେ । ଆସନ୍ତା ଜାନୁୟାରୀରେ ରିଲିଜ ହେବାକୁ ଯାଉଥିବା 'ଦରବାର' ରେ ଏକ ଗୀତରେ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି ଦେବସ୍ମିତା । ଏହା ପ୍ରଚାରିତ ହେବା ପରେ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏହାକୁ ନେଇ ତାଙ୍କ ପରିବାର ଲୋକେ ମଧ୍ୟ ବେଶ ଖୁସି । ତେବେ ଏହି ଲାଇନରେ ନିଜର କ୍ୟାରିୟର କରିବାକୁ ଚାହିୁଁଥିବା ଦେବସ୍ମିତାଙ୍କ ଆହୁରି ଅଧିକ କିଛି ଶିଖିବାର ଅଛି ବୋଲି କହିଛନ୍ତି ସେ।
ଦେବୋସ୍ମିତା ପଟ୍ଟନାୟକ, ଯୁକ୍ତ 3 ପ୍ରଥମ ବର୍ଷର ଛାତ୍ରୀ । ପାରଳାଖେମୁଣ୍ଡି ସହର ଅଙ୍କ ସାହିର ବାସିନ୍ଦା ଦେବୋସ୍ମିତା ବର୍ତ୍ତମାନ ତାଲିମ ଫିଲ୍ମରେ ନିଜର ଯାଦୁ ଦେଖାଇଛନ୍ତି । ଏହାପରେ ସେ ଆଉ ଏକ ତାଲିମ ଫିଲ୍ମରେ 2ଟି ଗୀତରେ ନାଚିବା ପାଇଁ ସୁଯୋଗ ମଧ୍ୟ ପାଇଛନ୍ତି । ଯାହା ଓଡ଼ିଶା ପାଇଁ ଗର୍ବର କଥା । ‘ଦରବାର’ ସୁଟିଂ କରିସାରିଥିବା ବେଳେ ଅନ୍ୟ ସିନେମାର ସୁଟିଂ ଖୁବଶୀଘ୍ର ଆରମ୍ଭ କରିବେ ଦେବୋସ୍ମିତା । ସେହିଭଳି ପ୍ରଖ୍ୟାତ ମ୍ୟୁଜିକ ଡାଇରେକ୍ଟର ଏ.ଆର ରେହମାନଙ୍କ ଟିମ୍ ବିଦେଶରେ କରିବାକୁ ଥିବା ଏକ ଷ୍ଟେଜ ଶୋ ପାଇଁ ମଧ୍ୟ ସାମିଲ ହୋଇଛନ୍ତି ସେ।
ପିଲାଟି ଦିନରୁ ମା' ଇନ୍ଦିରା ପଟ୍ଟନାୟକ ଏବଂ ବାପା ସ୍ବର୍ଗତ କୃଷ୍ଣମୋହନ ପଟ୍ଟନାୟକଙ୍କ ପ୍ରେରଣା ପାଇ ସେ ନୃତ୍ୟ ଶିଖିବା ଆରମ୍ଭ କରିଥିଲେ । ବ୍ରହ୍ମପୁରରେ ନିଜ ମାମୁଁ ସୂର୍ଯ୍ୟ ନାରାୟଣ ପଟ୍ଟନାୟକଙ୍କ ଘରେ ରହି ଗୁରୁ ଜୟନ୍ତ ଆଚାର୍ଯ୍ୟଙ୍କ ଠାରୁ ନୃତ୍ୟ ଶିକ୍ଷା ଗ୍ରହଣ କରିଥିଲେ । ପରେ ଭୂବନେଶ୍ବରରେ ରହି ଗୁରୁ ରତିକାନ୍ତ ମହାପାତ୍ରଙ୍କ ନିକଟରୁ ନୃତ୍ୟ ଶିଖିଥିଲେ। ତେବେ ଓଡିଶାରେ ସେଭଳି କିଛି ସୁଯୋଗ ନଥିବାରୁ ଭାଇ ଦେବାଶିଷଙ୍କ ପରାମର୍ଶରେ ମୁମ୍ବାଇ ଯାଇଥିଲେ ଦେବସ୍ମିତା। ଏଥିପାଇଁ ସୋସିଆଲ ମିଡିଆ ସାହାଯ୍ୟରେ ଅନୁଷ୍ଠାନ ଖୋଜିବା ସହ ସେଠାରେ ଏବେ ନୃତ୍ୟ ଶିଖୁଛନ୍ତି ସେ ।